ମୁମ୍ବାଇ, 21 ଜୁଲାଇ (ହି.ସ.)-ବଲିଉଡର
ପ୍ରତିଭାଶାଳୀ ଓ ସୁନ୍ଦର ଅଭିନେତ୍ରୀ ତୃପ୍ତି ଡିମ୍ରୀ ସମ୍ପ୍ରତି 'ଭିକ୍କି ଵିଦ୍ୟା କା ୱୋ ୱାଲା ଭିଡିଓ' ଫିଲ୍ମରେ ରାଜକୁମାର ରାଓଙ୍କ
ସହ ନଜର ଆସିଥିଲେ । ଏବେ ସେ ଗୋଟିଏ ନୂଆ ଓ ଭାବନାତ୍ମକ ପ୍ରେମ କାହାଣୀ ସହିତ ଫେରୁଛନ୍ତି।
ତାଙ୍କର ଆଗାମୀ ଫିଲ୍ମ 'ଧଡ଼କ୍-୨', ଯେଉଁଥିରେ ସେ
ସିଦ୍ଧାନ୍ତ ଚତୁର୍ବେଦୀ ସହ ପ୍ରେମ କରୁଥିବାର ନଜର ଆସିବେ । ଏହି ଫିଲ୍ମ ଅଗଷ୍ଟ 1ରେ ସିନେମା
ହଲରେ ମୁକ୍ତି ଲାଭ କରିବ ।
ସମ୍ପ୍ରତି ଏହି ଫିଲ୍ମର
ଟ୍ରେଲର୍ ମୁକ୍ତି ପାଇଛି, ଯେଉଁଥିରେ ଗଭୀର ପ୍ରେମ କାହାଣୀ ସହ ସାଙ୍ଗକୁ ଜାତିବାଦ
ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଅନ୍ୟାୟକୁ ମଧ୍ୟ ଦେଖାଯାଇଛି। ଟ୍ରେଲରକୁ ବହୁତ ପ୍ରଶଂସା
ମିଳିଛି ଓ ଫିଲ୍ମ ପାଇଁ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ବଢିଛି ।
ତୃପ୍ତି ଡିମ୍ରୀ ଏହି ମଧ୍ୟରେ
'ହିନ୍ଦୁସ୍ଥାନ ସମାଚାର' ସହ ଏକ ବିଶେଷ ଆଲୋଚନା
କରିଛନ୍ତି, ଯେଉଁଥିରେ ସେ ତାଙ୍କର କ୍ୟାରିଅର, ଏହି ଫିଲ୍ମରେ
କରିଥିବା ଭୂମିକା ଓ ବ୍ୟକ୍ତିଗତ ଜୀବନରେ କାମ ଓ ସନ୍ତୁଳନ ସମ୍ପର୍କରେ ଖୋଲା କଥା ହୋଇଛନ୍ତି।
ଏହି ସାକ୍ଷାତ୍କାରରେ ତୃପ୍ତି ଫିଲ୍ମ ସମ୍ପର୍କିତ ଅନେକ ରୋମାଞ୍ଚକ ତଥ୍ୟ ସେୟାର କରିଛନ୍ତି ।
ପ୍ରଶ୍ନ- ନିଜର ଚମତ୍କାର କମ୍ବ୍ୟାକକୁ
ନେଇ ଆପଣ କଣ କହିବେ ?
ଉ-ମୁଁ ଏହା ଦେଖିକି ବହୁତ ଖୁସି
ଅନୁଭବ କରୁଛି ଯେ ଦର୍ଶକମାନେ ମୋ ପ୍ରତି ଏତେ ଆସ୍ଥା ଓ ଭରସା ଦେଖାଇଛନ୍ତି। ଯେତେବେଳେ 'ଧଡ଼କ୍-୨' ର ଟ୍ରେଲର୍ ରିଲିଜ୍ ହେଲା, ମୁଁ ନିଜେ ବାରମ୍ବାର ତାକୁ ଦେଖୁଥିଲି ଓ ଦର୍ଶକଙ୍କର କମେଣ୍ଟସ୍ ପଢ଼ି ଭାବୁକ ହେଉଥିଲି। ଜଣେ
ଅଭିନେତ୍ରୀ ଭାବେ, ଯେତେବେଳେ ଲୋକମାନେ
ଆପଣଙ୍କ କାମକୁ ସ୍ନେହ ଓ ପ୍ରଶଂସା କରନ୍ତି , ତାହା ଆମ ପାଇଁ ସବୁଠାରୁ ବଡ଼ ସଫଳତା ହୁଏ। ଆମ ଅଭିନୟ ଜୀବନର ମୂଳ ଉଦ୍ଦେଶ୍ୟ ହେଉଛି
ଲୋକମାନେ ମନୋରଞ୍ଜନ ପାଆନ୍ତୁ ଓ ଯେତେବେଳେ ଆମର
କାମ ତାଙ୍କର ହୃଦୟକୁ ଛୁଇଁଯାଏ, ତେବେ ଆମକୁ ଏହା ବୁଝିବାକୁ ସୁଯୋଗ ମିଳେ ଯେ, ଦର୍ଶକମାନେ କଣ ଚାହୁଁଛନ୍ତି ଓ କଣ ନୁହେଁ।
ଏହା ଆମକୁ ଆମର ଅଭିନୟ ଅଧିକ ସୁଧାରିବାକୁ ପ୍ରେରଣା ଦିଏ।
ମୁଁ ଯେଉଁଯେଉଁ ଫିଲ୍ମ କରିଛି,
ସେଗୁଡ଼ିକୁ ନେଇ ମୋତେ ଗର୍ବ ଅନୁଭବ ହୁଏ। ପ୍ରତ୍ୟେକ ପ୍ରୋଜେକ୍ଟ
ବା ଫିଲ୍ମ ବାଛିବା ବେଳେ ମୋର ଏହି ଚେଷ୍ଟା ରହିଥାଏ ଯେ ମୁଁ ତାହାକୁ 100% ଦିଏ ଓ ଏହି କାହାଣୀ
ଆଉ କିଛି ନୂଆ କହୁ। ମୋ ପାଇଁ ଏହା ବହୁତ ଜରୁରୀ ଯେ ପ୍ରତ୍ୟେକଥର ମୁଁ ଏକ ଭିନ୍ନ ଭୂମିକା ଅଭିନୟ
କରିବି, ସମାନ ଭୂମିକା କଲେ ମୁଁ ନିଜେ
ବୋର୍ ହୋଇଯିବି । ମୁଁ କେବେ ମଧ୍ୟ ମୋ ଜୀବନରେ ସେଠାରେ ପହଞ୍ଚିବାକୁ ଚାହେଁ ନାହିଁ ଯେଉଁଠି
ମୋତେ ଲାଗିବ ଯେ ଅଭିନୟ ମୋତେ ଆନନ୍ଦ ଦେଉନାହିଁ। 'ଧଡ଼କ୍-୨' ପରେ ମୋର ଆଗାମୀ
ଫିଲ୍ମ ପ୍ରକୃତରେ ବେଶି ଭିନ୍ନ ହେବ, କାରଣ ମୋ ପାଇଁ ଭୂମିକାର ବିବିଧତା ହିଁ ହେଉଛି ଏକ ଯଥାର୍ଥ ସନ୍ତୁଳନ ଓ ସୃଜନାତ୍ମକ ଶକ୍ତିର
ଉତ୍ସ।
ପ୍ରଶ୍ନ- ଆପଣଙ୍କୁ ଏହି
ଫିଲ୍ମ କିଛି ଚ୍ୟାଲେଂଜ ଦେଇଛି କି ?
ଉ-ହଁ,
ନିଶ୍ଚିତ ଭାବେ, ଏହି ଫିଲ୍ମ ମୋ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା, କାରଣ ଯେତେବେଳେ ମୁଁ ଏହାର ସ୍କ୍ରିପ୍ଟ ପଢ଼ିଥିଲି, ସେତେବେଳେ ମୁଁ ବୁଝିପାରିଥିଲି ଯେ ଏହି କାହାଣୀ ବହୁତ କିଛି ଚାହିଁଛି। ଯେତେବେଳେ ଆମେ
ଗୋଟିଏ ଗଭୀର ପ୍ରେମ କାହାଣୀ ବା ସାମାଜିକ ବାର୍ତ୍ତା ଥିବା ଫିଲ୍ମ ଉପରେ କାମ କରୁଛୁ,
ତେବେ ଏହା ଆମର ଦାୟିତ୍ୱ ଯେ ତାହାକୁ ସଠିକ୍ ସତ୍ୟତା ଓ ସଂବେଦନଶୀଳତା
ସହ କରିବା ଉଚିତ୍।
ଆଜିର ଦର୍ଶକମାନେ ବହୁତ
ବୁଦ୍ଧିମାନ୍। ଯଦି ଆପଣ ଆପଣଙ୍କ କାମରେ ସତ୍ୟତା ରଖିନାହାନ୍ତି,
ତେବେ ସେମାନେ ତାକୁ ସହଜରେ ଧରିପାରିବେ। ତେଣୁ ଆମର
ଆରମ୍ଭରୁ ଏହି ଚେଷ୍ଟା ଥିଲା ଯେ ପ୍ରତ୍ୟେକ ଦୃଶ୍ୟକୁ ସମ୍ପୂର୍ଣ୍ଣ ପ୍ରୟାସ,
ଲାଗି ଓ ଧ୍ୟାନ ସହ କରିବା,
ଯାହା ଦେଖି ଦର୍ଶକମାନେ ଏହି ଅଭିନୟକୁ ସତ୍ୟ ବୋଲି
ଅନୁଭବ କରନ୍ତୁ — ଅନାଭିକୃତ ନୁହେଁ।
କେତେକ ସମୟରେ ଏମିତି କିଛି
ଦୃଶ୍ୟ ଆସିଥିଲା ଯେଉଁଠି ଅଭିନୟ କରୁଥିବା ବେଳେ ଭାବନାତ୍ମକ ଭାବରେ ଭାଙ୍ଗି ପଡ଼ିବାକୁ
ପଡ଼ୁଥିଲା, କ୍ୟାମେରା
ସାମ୍ନାରେ କାନ୍ଦିବାକୁ ପଡ଼ୁଥିଲା, ଓ ଏହି ସବୁ ଘଟଣା ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଥିଲା। ଏହା ଭଳି ପରିସ୍ଥିତିରେ ଆମର ଡାଇରେକ୍ଟର୍ ବହୁତ
ସହଯୋଗାତ୍ମକ ଥିଲେ। ଯେତେବେଳେ ସେ ଦେଖୁଥିଲେ ଯେ ମୁଁ ଅତିରିକ୍ତ ଭାବନାରେ ଡୁବିଯାଉଛି,
ସେ ବହୁତ ଧୈର୍ଯ୍ୟ ସହିତ ମୋତେ ସମ୍ଭାଳୁଥିଲେ। ମୁଁ
ଏହି କଥାରେ ବିଶ୍ୱାସ କରେ ଯେ
ଯେପର୍ଯ୍ୟନ୍ତ ଆପଣ ମନରୁ ଭଲ ଅନୁଭବ କରୁନାହାନ୍ତି,
ସେପର୍ଯ୍ୟନ୍ତ ଆପଣ ପରଦାରେ ଭଲ ପ୍ରଦର୍ଶନ କରିପାରିବେ
ନାହିଁ। ତେଣୁ ଶୁଟିଂ ସମୟରେ ଆମ ପାଇଁ ଖୁସି ରହିବା, ସନ୍ତୁଳନ ବନ୍ଧି ରଖିବା ବହୁତ ଆବଶ୍ୟକ ଥିଲା। ଏହି ଭୂମିକା ନିଭାଇବା ଅନେକ କଠିନ ଥିଲା,
କିନ୍ତୁ ଆମେ ତାହାର ପ୍ରତ୍ୟେକ ପ୍ରକ୍ରିୟାକୁ ହୃଦୟରୁ
ଅନୁଭବ କରିଛୁ ଓ ଉପଭୋଗ ମଧ୍ୟ କରିଛୁ।
ପ୍ରଶ୍ନ- ଏହି ଫିଲ୍ମ କଣ
ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବ ?
ଉ-ହଁ,
ନିଶ୍ଚିତ ଭାବରେ, ସମାଜରେ କୌଣସି ପରିବର୍ତ୍ତନ ସର୍ବଦା ଜ୍ଞାନ ଓ ବୁଝିବା ଦ୍ୱାରା ହିଁ ଆସିଥାଏ। ଯେପର୍ଯ୍ୟନ୍ତ ଲୋକେ ସଠିକ୍
ଓ ଭୁଲ୍ର ମଧ୍ୟରେ ତଫାତ ବୁଝିପାରିବେ ନାହିଁ, ସେମାନେ କିପରି ପରିବର୍ତ୍ତନ ପାଇଁ ପଦକ୍ଷେପ ନେବେ? ଯଦି ଆମେ ଆମ ଫିଲ୍ମ ଦ୍ୱାରା ଲୋକଙ୍କ
ମନୋଭାବରେ ଅଳ୍ପ ମାତ୍ରାରେ ମଧ୍ୟ ସଚେତନତା
ଆଣିପାରିଲୁ, ତେବେ ସେଇଟି ଆମର
ସବୁଠାରୁ ବଡ଼ ସଫଳତା ହେବ। ଆପଣ ଓ ମୁଁ ଜାତିବାଦରେ ବିଶ୍ୱାସ ରଖୁନୁ ,
ତଥାପି ଏହା ଏକ ତଥ୍ୟ ଯେ ଆଜି ମଧ୍ୟ ଏହି ବିକୃତ ଧାରଣା
ଆମ ସମାଜରେ ଗଭୀର ଭାବେ ବ୍ୟାପ୍ତ ଅଛି। ଯଦି ଆମ କାହାଣୀ ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚେ
ଯେଉଁମାନେ ଏହି ଧାରଣାକୁ ଏଯାଏଁ ମଧ୍ୟ ଗ୍ରହଣ କରୁଛନ୍ତି, ଓ ସେମାନେ ଏହା ବୁଝିପାରନ୍ତି ଯେ ଏହି ଭାବଧାରା ଭୁଲ୍ — ତେବେ ତାହା ହେବ ଏକ ଶକ୍ତିଶାଳୀ ପରିବର୍ତ୍ତନର ଆରମ୍ଭ।
ଏହା ଦରକାର ନୁହେଁ ଯେ
ପ୍ରତ୍ୟେକ ଜଣେ ଫିଲ୍ମ ଦେଖିବା ପରେ ତୁରନ୍ତ ବଦଳିଯିବେ, କିନ୍ତୁ ଯଦି ସେମାନଙ୍କ ମନ ମଧ୍ୟରେ ଗୋଟିଏ ପ୍ରଶ୍ନ ଉଠେ,
ଗୋଟିଏ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ — ଯେ ଏମିତି ହେବା
ଉଚିତ୍ କି ନୁହେଁ, ମୁଁ କିଛି ଭୁଲ୍
କରୁଛି କି? — ତେବେ ତାହା ଏକ ବଡ଼
ପଦକ୍ଷେପ।
ମୁଁ ନିଶ୍ଚିତ ଭାବେ ବିଶ୍ୱାସ କରେ ଯେ ଯେପରି ସଚ୍ଚୋଟତା ଓ ସତ୍ୟତା ସହ
ଆମେ ଏହି ବିଷୟକୁ ପରଦା ଉପରେ ଆଣିଛୁ, ତାହା ଦର୍ଶକଙ୍କ ହୃଦୟକୁ ଅବଶ୍ୟ ଛୁଇଁଯିବ ଓ ଏହି ବିଷୟରେ ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ
ଆଣିପାରିବ।
ପ୍ରଶ୍ନ- ଜୀବନରେ ୱାର୍କ
ଲାଇଫ୍ ବାଲାନ୍ସ କରିବା କଣ ଜରୁରୀ ?
ଉ-ଆପଣ ଠିକ୍ କହିଛନ୍ତି,
କେବଳ ଅଭିନୟ ନୁହେଁ,
ପ୍ରତ୍ୟେକ ପେସାରେ ୱାର୍କ-ଲାଇଫ ବାଲାନ୍ସ ରଖିବା ବହୁତ ଆବଶ୍ୟକ।
ମୁଁ ମଧ୍ୟ ସର୍ବଦା ଏହି ଚେଷ୍ଟା କରୁଛି ଯେ ମୋର ପେଶା
ଜୀବନ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସଠିକ୍ ସମନ୍ୱୟ ରହିପାରେ। ଯେତେବେଳେ ଶୁଟିଂରୁ କିଛି ଖାଲି ସମୟ ମିଳେ,
ମୁଁ ସେହି ସମୟକୁ ମୋ ପରିବାର ଓ ବନ୍ଧୁମାନେ ସହିତ
ବିତାଇବାକୁ ପସନ୍ଦ କରେ। ସେମାନଙ୍କ ସହିତ ସମୟ ବିତାଇବା ମୋ ପାଇଁ ବହୁତ ମାନସିକ ସନ୍ତୁଷ୍ଟି ଓ
ଖୁସିର ଉତ୍ସ।
ଏହା ସହିତ,
ମୋତେ ଟେନିସ୍ ଖେଳିବା ଓ ଚିତ୍ର କରିବା ବହୁତ ଭଲ
ଲାଗେ। ମୁଁ ସେମାନଙ୍କୁ ପାଇଁ ମଧ୍ୟ ସମୟ ବାହାର କରିଥାଏ। ଏହି କାମଗୁଡ଼ିକ ମୋତେ ମାନସିକ ଭାବେ
ସ୍ଥିର ଓ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ।
ଶେଷରେ,
ଆମେ ସବୁ ମଣିଷ, ଓ ଯଦି ଆମେ ନିରନ୍ତର ଗୋଟିଏ କାମ କରୁଥିବୁ, ତେବେ କ୍ଳାନ୍ତି ଓ ବିରକ୍ତି ଆସିବା ସ୍ୱାଭାବିକ। ଏହି କାରଣରୁ ମୁଁ ଏହି ବିଶ୍ୱାସ କରେ ଯେ ସମୟ-ସମୟରେ ଆମର ଦୈନନ୍ଦିନ ଅଭ୍ୟାସକୁ ଭାଙ୍ଗି ନିଜକୁ ରିଫ୍ରେସ୍ କରିବା ମଧ୍ୟ ଆବଶ୍ୟକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା