ନୂଆଦିଲ୍ଲୀ, 21 ଜୁଲାଇ (ହି.ସ.)
-ସଂସଦର ମୌସୁମୀ
ଅଧିବେଶନର ପ୍ରଥମ ଦିନ ସୋମବାର ବିରୋଧୀ ଦଳର ସଦସ୍ୟମାନେ ପହେଲଗାମ ଆକ୍ରମଣ ଓ ଅପରେସନ୍
ସିନ୍ଦୂର ମାମଲା ଉପରେ ଆଲୋଚନା ଦାବି କରି ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ।
ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନ୍ ଦେଇ ସଦନରୁ ବହିର୍ଗମନ
କରିଛନ୍ତି ।
ରାଜ୍ୟସଭା ସଭାପତି ଜଗଦୀପ୍
ଧନଖଡ଼ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ୨୨ ଏପ୍ରିଲରେ ପହେଲଗାମରେ ଘଟିଥିବା ଏହି ଦୁଃଖଦ ଓ କାପୁରୁଷ
ଆତଙ୍କବାଦୀ ଆକ୍ରମଣ ନିର୍ଦ୍ଦୋଷ ଲୋକମାନଙ୍କ ଜୀବନ ନେଇଛି ଓ ଏହି ଘଟଣା ଆମ ସାମୂହିକ ଅନ୍ତରାତ୍ମାକୁ
ଗଭୀର ଆଘାତ ପହଞ୍ଚାଇଛି।
ଏହାର ପ୍ରତିଉତ୍ତରରେ ଆମ
ଜାତି ଏକତ୍ରିତ ହୋଇ ସୀମା ପାର ଆତଙ୍କବାଦୀ ଠିକଣାଗୁଡିକୁ ଧ୍ୱଂସ କରିବା ପାଇଁ ଅପରେସନ୍
ସିନ୍ଦୂର ପଛରେ ଏକଜୁଟ ହୋଇଥିଲା। ଆମ ସଶସ୍ତ୍ର
ବାହିନୀଙ୍କ ଦୃଢ଼ ସାହସ ଓ ଲୋକମାନଙ୍କ ଅଦମ୍ୟ ଏକତା ଆମ ଗଣତନ୍ତ୍ରର ଏକତା ଓ ଅଖଣ୍ଡତାକୁ
ସୁରକ୍ଷା ଦେବା ପାଇଁ ଆମ ଅଟୁଟ ସଂକଳ୍ପର ଏକ ଶକ୍ତିଶାଳୀ ପ୍ରମାଣ ଦେଇଛି। ଏହି ସହିତ ଧନଖଡ଼ ୧୨
ଜୁନ୍ ତାରିଖରେ ଏୟାର୍ ଇଣ୍ଡିଆର ଉଡ଼ାଣ ସଂଖ୍ୟା ୧୭୧ ର ଦୁଃଖଦ ଦୁର୍ଘଟଣାରେ ମୃତ୍ୟୁବରଣ
କରିଥିବା ୨୪୦ ଜଣଙ୍କ ପରିବାରବର୍ଗ ପ୍ରତି ଶୋକ ସନ୍ଦେଶ ପ୍ରକାଶ କରିଥିଲେ।
ଗୃହର କାର୍ଯ୍ୟକୁ ଆଗକୁ ବଢ଼ାଇ ଧନଖଡ଼ ରାଜ୍ୟସଭାର ବିପକ୍ଷ ନେତା ମଲ୍ଲିକାର୍ଜୁନ
ଖଡ଼ଗେଙ୍କୁ ତାଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ। ଧନଖଡ଼ ବିପକ୍ଷ ସଦସ୍ୟମାନଙ୍କ ଦ୍ୱାରା
ନିୟମ ୨୬୭ ଅନୁସାରେ ଦାଖଲ ୧୮ଟି ନୋଟିସ୍ ଉପରେ ଆଲୋଚନା କରିବା ଦାବିକୁ ଖାରଜ କରିଦେଇଥିଲେ। ଏହି
ସହିତ ଶମିକ ଭଟ୍ଟାଚାର୍ଯ୍ୟ ମଧ୍ୟ ନିୟମ ୧୬୭ ଅନୁଯାୟୀ ଅପରେସନ୍ ସିନ୍ଦୂର ବିଷୟରେ
ଆଲୋଚନା ପାଇଁ ଏକ ନୋଟିସ୍ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା