ପୁରୀ, ୨୧ ଜୁଲାଇ(ହି.ସ.) – ଆଜି ମଧ୍ଯାହ୍ନରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ତୁଳସୀଚଉରା ନିକଟରେ ଦମକଳ ଗାଡି ଧକ୍କାରେ ଜଣେ କଲେଜ ଛାତ୍ର ମୃତ୍ଯୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଚନ୍ଦନପୁର ଥାନା ବୀରକିଶୋରପୁର ତୁଣ୍ଡି ସାହିର ସ୍ୱଂୟ ଶୁଭମ ସେନାପତି(୨୨)। ସେ ପୁରୀ ଏସସିଏସ କଲେଜର ଯୁକ୍ତ ତିନି ବିଜ୍ଞାନର ଶେଷ ବର୍ଷ ଛାତ୍ର ଥିଲେ। କଲେଜରୁ କ୍ଲାସ ସାରି ଗ୍ରାମକୁ ମଟରସାଇକେଲରେ ଫେରୁଥିବା ବେଳେ ତୁଳସୀଚଉରା ଛକରେ ରଙ୍ଗ ରୁଟରେ ଆସୁଥିବା ଦମକଳ ଗାଡି ଧକ୍କା ଦେଇଥିଲା। ମଟରସାଇକେଲରୁ ଛିଟିକି ପଡି ମୁଣ୍ଡ ଫାଟି ଯାଇଥିଲା। ସେଠାରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକ ଉଦ୍ଧାର କରି ହାଇୱେ ପେଟ୍ରୋଲିଂ ଗାଡିରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ଚିକିତ୍ସାକରି ମୃତ ଘୋଷଣା କରିଥିଲେ। ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କର ବାପା ବ୍ରେନ ଷ୍ଟ୍ରୋକରେ ପୀଡିତ ଥିବାବେଳେ ଶୁଭମ ଏକମାତ୍ର ପୁତ୍ର ଥିଲା। ଦୁର୍ଘଟଣା ସ୍ଥଳରେ ଉତେଜନାପୂର୍ଣ୍ଣ ଲାଗିରହିଥିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଶୁଭମର ମାଆ ପହଂଚିବାରୁ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତୁଳସୀଚଉରା ଛକରେ ଅପରାହ୍ନ ଏକଟାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ଉକ୍ତ ଲୋକମାନେ ରାସ୍ତାରୋକ କରିଥିଲେ। ପୁରୀ ଭିଆଇପି ରୋଡରେ ଥିବା ମୁଖ୍ୟ ଦମକଳ କାର୍ଯ୍ୟାଳୟ ସମ୍ମୁଖରେ କଲେଜ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ। ଉତ୍ଯକ୍ତ ଜନତା ମାନେ ୫୦ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ସରକାରୀ ସାହାଯ୍ୟ ୪ଲକ୍ଷ ଘୋଷଣା ପରେ ମଧ୍ୟ ରାସ୍ତାରୋକ ଜାରି ରହିଥିଲା। ଚନ୍ଦନପୁର ଥାନା ପୋଲିସ ଓ ପୁରୀ ସଦରଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ଜନତାଙ୍କୁ ବୁଝାସୁଝା କରୁଛନ୍ତି। ରାସ୍ତାରୋକ ଯୋଗୁ ଭୁବନେଶ୍ୱର ପଟୁ ଆସୁଥିବା ଶହ ଶହ ଗାଡି ଗୁଡିକ ୭ ଘଂଟା ପର୍ଯ୍ୟନ୍ତ ଅଟକି ରହିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର/ବିଜୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବିଜୟ