ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ସ୍କୁଲ ସମିଶ୍ରଣ
ଦ୍ୱାରା ବନ୍ଦ ହୋଇଥିବା 46 ଟି ସ୍କୁଲ ଖୋଲିଥିବା ବେଳେ ଏବେ ଆଉ 4 ସ୍କୁଲ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।
ସର୍ବାଧିକ ଢେଙ୍କାନାଳ ଜିଲ୍ଲାର 22 ଟି ସ୍କୁଲ, ଦେଓଗଡ଼ରେ 10 ଟି ସ୍କୁଲ, ବରଗଡରେ 7 ଟି ଓ ଖୋର୍ଦ୍ଧାରେ 3 ଟି ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।
ପୂର୍ବ ସରକାରଙ୍କ ସମୟରେ
ଛାତ୍ରୀଛାତ୍ରଙ୍କ କମ୍ ଉପସ୍ଥାନ ଥିବା ରାଜ୍ୟର ପ୍ରାୟ ୭୭୫୧ଟି ବିଦ୍ୟାଳୟକୁ ନିକଟସ୍ଥ
ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ସେତେବେଳେ ଭାଜପା ସମେତ
ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ଏହାଦ୍ବାରା - ସ୍କୁଲରେ ଡ୍ରପ୍ଆଉଟ୍ ହାର ବଢ଼ିବ।
ବିଶେଷକରି ଦୁର୍ଗମ ଅଞ୍ଚଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚୁତ ହେଉଥିବା ଅଭିଯୋଗ ଉଠିଥିଲା।
ହେଲେ ତତ୍କାଳୀନ ସରକାର ଏଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରି ନ ଥିବାବେଳେ ଏବେ ଭାଜପା ସରକାର
ଏହାକୁ ଗୁରୁତ୍ବର ସହ ନେଇ ବନ୍ଦ ହୋଇଯାଇଥିବା ସ୍କୁଲଗୁଡିକୁ ପୁଣି ଖୋଲିବା ପ୍ରକ୍ରିୟା ଆରମ୍ଭ
କରିଛନ୍ତି । ଓସେପାର ତଥ୍ୟ ଅନୁସାରେ, ସରକାରଙ୍କ ନିଷ୍ପତି କ୍ରମେ ସ୍କୁଲଗୁଡିକର ଭିତ୍ତିଭୂମିକୁ ସଜଡା ଯାଇ
ତୁରନ୍ତ ଖୋଲିବାକୁ ବ୍ୟବସ୍ଥା କରାଯାଉଛି। ଢେଙ୍କାନାଳରେ ସର୍ବାଧିକ ୨୨ଟି ମିଶ୍ରଣ ସ୍କୁଲ
ଖୋଲିଥିବା ବେଳେ ଦେବଗଡ ଜିଲାରେ ୧୦ଟି ସ୍କୁଲ ଖୋଲାଯାଇଛି। ସେହିପରି ବରଗଡରେ ୭, ଯାଜପୁରର ୪ ଏବଂ
ଖୋର୍ଦ୍ଧାର ୩ଟି ସ୍କୁଲ ଖୋଲିଛି। ଏହାବାଦ୍ ଯାଜପୁରର ବିଞ୍ଝାରପୁର, ଖୋର୍ଦ୍ଧାର ବାଣପୁର, ଦେବଗଡ଼ର ରିଆମାଳ
ଏବଂ ତେଲେଇବଣୀ ସ୍କୁଲ ଖୋଲାଯିବାକୁ ପ୍ରକ୍ରିୟା ଚାଲିଥିବା ଜଣାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା