ସମ୍ବଲପୁର, ୨୭ ଜୁଲାଇ (ହି.ସ.) - ରାଜ୍ୟରେ ବାଲେଶ୍ୱର ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ବନ୍ୟା ପ୍ରପୀଡ଼ିତ ଅଂଚଳରେ ଲୋକଙ୍କ ଜୀବନ ସୁରକ୍ଷିତ ରଖିବା ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକ ଦାୟିତ୍ୱ ବୋଲି କହିଛନ୍ତି ରାଜ୍ୟ ପଂଚାୟତିରାଜ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ (ଓଏସ୍ଡବ୍ଲ୍ୟୁଏଏନ୍) ପ୍ରକୋଷ୍ଠରେ ମନ୍ତ୍ରୀ ପୂଜାରୀ ଆଭାସୀ ମାଧ୍ୟମରେ ସମଗ୍ର ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଓ ବନ୍ୟା ପ୍ରପୀଡ଼ିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସିଧାସଳଖ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେ, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଏପରି ଏକ ବିପଦ ଯାହାକୁ ନେଇ ପ୍ରତିଦିନ ଓ ପ୍ରତ୍ୟେକ ମୁହୁର୍ତର୍ରେ ସରକାରଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ବନ୍ୟା ଜନିତ ବିପର୍ଯ୍ୟୟ ମଧ୍ୟ ସେଥିମଧ୍ୟରୁ ଅନ୍ୟତମ । ଦୁଇଦିନ ତଳେ ସେ ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୟୁରଭଞ୍ଜ ଓ କେନ୍ଦୁଝର ଜିଲାରେ ବନ୍ୟା ଜନିତ କ୍ଷତି ମାତ୍ରାଧକ ହେବ ବୋଲି ଆକଳନ କରାଯାଇଥିଲା । ମାତ୍ର ଏଠାରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳପତନ ହ୍ରାସ ପାଇବାରୁ ଉକ୍ତ ଜିଲା ଦ୍ୱୟରେ ବିଶେଷ କ୍ଷତି ହୋଇ ନାହିଁ । ସେହିପରି ଯାଜପୁର ଓ ଭଦ୍ରକ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଶନିବାର ଖବର ମିଳିଥିଲା । ମାତ୍ର ରବିବାର ସକାଳୁ ବୈତରଣୀ ନଦୀର ଜଳପତନ ବିପଦ ସଙ୍କେତ ତଳକୁ ଖସି ଆସିଛି । ଫଳରେ ଉପରୋକ୍ତ ଚାରୋଟି ଜିଲ୍ଲାରେ ଆଶ୍ରୟ କେନ୍ଦ୍ର ଗୁଡ଼ିକରେ ଆଶ୍ରୟ ନେଇଥିବା ଲୋକେ ଏବେ ଏବେ ନିଜ ନିଜର ଘରକୁ ଫେରିଗଲେଣି । ବର୍ତମାନ ଏହି ଜିଲ୍ଲାମାନଙ୍କର କ୍ଷୟକ୍ଷତିର ଆକଳନ କରି ସମସ୍ତ କ୍ଷୟକ୍ଷତିର ଭରଣା ଓ କ୍ଷତିଗ୍ରସ୍ତଙ୍କୁ ଇନପୁଟ୍ ସବସିଡି ପ୍ରଦାନ କରାଯିବ ବୋଲି ପ୍ରତିଶୂତି ଦେଇଛନ୍ତି ମନ୍ତ୍ରୀ ପୂଜାରୀ । ଏହା ବ୍ୟତିତ ବନ୍ୟାରେ ଘରଦ୍ୱାର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସେମାନଙ୍କ ଘରଦ୍ୱରା ନିର୍ମାଣ ନ ହେବା ପର୍ଯ୍ୟନ୍ତ ରିଲିଫ୍ କେନ୍ଦ୍ରମାନଙ୍କରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ବର୍ତମାନ ବାଲେଶ୍ୱର ଜିଲାର ସ୍ଥିତି ଚିନ୍ତାଜନକ ରହିଛି । ବୁଢ଼ାବଳଙ୍ଗ ଓ ଜଳକା ନଦୀ ଉପରେ ନଜର ରହିଛି । ବାଲେଶ୍ୱର ଜିଲାରେ ଜଳକା ନଦୀର ବନ୍ୟାଜଳ ବିପଦ ସଂକେତର ଏକ ମିଟର ଉପରେ ପ୍ରବାହିତ ହେବାର ଆଶଙ୍କା ରହିଛି । ଏଥିପାଇଁ ଏଠାରେ ଅଗ୍ନିଶମ ବାହିନୀ, ଏନ୍ଡିଆଏର୍ଫ୍ ଓ ଓଡିଆଏର୍ଫ୍ ବାହିନୀଙ୍କୁ ନିୟୋଜିତ କରି ସର୍ବା ସଜାଗ ରହିଛି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ହୁହାଯାଇଛି । ଏହାସହିତ ବର୍ତମାନ ସ୍ଥିତିରେ ସମ୍ଭାବ୍ୟ ବନ୍ୟା କ୍ଷତିଗ୍ରସ୍ତ ଅଂଚଳରୁ ଲୋକଙ୍କୁ ସୂର୍ଯ୍ୟାସ୍ତ ପୂର୍ବରୁ ବିଭିନ୍ନ ଆଶ୍ରୟସ୍ଥଳି ବା ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଏଠରେ ପୃଥକ ଭାବେ ମହିଳା ଓ ପୁରୁଷଙ୍କ ରହିବା ତଥା ସମସ୍ତ ମାନବିୟ ସୁବିଧାର ବ୍ୟବସ୍ଥା କରିବା, ବନ୍ୟା ପରେ ଉପଜୁଥିବା ସାପ ଭୟକୁ ଦୂର କରିବା ପାଇଁ ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ଔଷଧ ମହଜୁଦ ରଖିବା, ଏକ ଘଂଟା ମଧ୍ୟରେ ସାପ କାମୁଡ଼ା ପୀଡ଼ିତଙ୍କ ନିକଟରେ ଓଷଧ ପହଂଚାଇବା, ସ୍ୱାସ୍ଥ୍ୟସେବୀଙ୍କ ସଂଖ୍ୟା ବୃଦ୍ଧି ସହିତ ସର୍ବଦା ସଜାଗ ରହିବା, ପାନୀୟ ଜଳକୁ ବ୍ୟବହାର ଉପଯୋଗୀ କରିବାକୁ ଅଂଚଳର ସମସ୍ତ ଜଳ ଉôସଗୁଡ଼ିକୁ ବିଶୋଧନ କରିବାକୁ ବିଶେଷ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଏସ୍ଡବ୍ଲ୍ୟୁଏଏନ୍ ପ୍ରକୋଷ୍ଠରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମ୍ବଲପୁର ଜିଲାପଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଜିଲାପାଳ ସୁଧାଂଶୁ କୁମାର ଭୋଇ, ଜରୁରିକାଳୀନ ଅଧିକାରୀ ନୂତନ ସେଠ୍ ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ