ସମ୍ବଲପୁର, ୨୭ ଜୁଲାଇ (ହି.ସ.)
ଆଗାମୀ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ପାଇଁ ରାଜ୍ୟ ସରକାର କରିଥିବା କଟକଣା ଯୋଗୁଁ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଚାଷୀ ପଞ୍ଜିକରଣ ଆଗେଇ ପାରୁନଥିବା ଅଭିଯୋଗ ହେଉଛି l ଗତ ୧୯ ତାରିଖ ଠାରୁ ବିଭିନ୍ନ ସମବାୟ ସମିତି ଠାରୁ ଚାଷୀ ମାନେ ଫର୍ମ ନେଇଥିଲେ ମଧ୍ୟ ଅତ୍ୟାବିଧି ମାତ୍ର ୩୭.୬୩ ପ୍ରତିଶତ ଚାଷୀ ଫର୍ମ ଡିପୋଜିଟ କରିଥିବା କୁହାଯାଉଛି । ଚାଷୀମାନେ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ପାରୁନଥିବାରୁ ଫର୍ମ ଡିପୋଜିଟ କରି ପାରୁନାହାନ୍ତି l ସରକାରଙ୍କ ଏଭଳି କଟକଣା ଯୋଗୁଁ ଚଳିତ ବର୍ଷ ବହୁ ଚାଷୀ ଧାନ ବିକ୍ରିୟ କରିବାରୁ ବଞ୍ଚିତ ହେବେ ବୋଲି ଚାଷୀଙ୍କ ମହଲରୁ ଅଭିଯୋଗ ହେଉଛି । ପ୍ରକାଶ ଯେ ଆସନ୍ତା ଖରିଫ ଧାନ ସଂଗ୍ରହ ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ସମସ୍ତ ସମବାୟ ସମିତିର ଚାଷୀ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି l ଗତ ଜୁଲାଇ ୧୯ ଠାରୁ ଅଗଷ୍ଟ ୨୦ ଫର୍ମ ବଣ୍ଟନ ସହ ଚାଷୀଙ୍କ ନାମ ପଞ୍ଜିକରଣ କରିବାର ନିର୍ଦ୍ଧେଶ ରହିଛି l ପଞ୍ଜିକରଣ ବେଳେ ଉତ୍ତରାଧିକାରୀ ପ୍ରମାଣପତ୍ର ବାଧ୍ୟତା ମୂଳକ ଥିବାବେଳେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ପଞ୍ଜିକରଣ, ବ୍ୟାଙ୍କ ଖାତା ଓ ଆଧାର ମାଧ୍ୟମରେ ଇ - କେୱାଇସି ସଂଯୋଗ, ଚାଷୀଙ୍କ ଆଖି ସ୍କାନ ଏବଂ ଭାଗ ଚାଷୀଙ୍କ ନାମ ପଞ୍ଜିକରଣ ବେଳେ ଜମି ମାଲିକଙ୍କୁ ସାଙ୍ଗରେ ଆଣିବା ଆଦି ନିୟମର କଟକଣା ଚାଷୀ ଓ ଭାଗଚାଷୀଙ୍କ ପାଇଁ ଅସୁବିଧାର କାରଣ ପାଲଟିଥିବା ଅଭିଯୋଗ କରିଛନ୍ତି l ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରୁଥିବା ବହୁ ଆବେଦନକାରୀ (ଚାଷୀ )ଙ୍କର ନିଜ ନାମରେ ଚାଷ ଜମି ନାହିଁ l ବାପା ବା ମାଁ'ଙ୍କ ନାମରେ ଚାଷ ଜମି ରହିଛି, ଅନେକ କ୍ଷେତ୍ରରେ ବହୁ ପରିବାରରେ ସେମାନେ ମୃତ୍ୟୁବରଣ କରିଥିବାରୁ ଉତ୍ତରାଧିକାରୀ ପ୍ରମାଣପତ୍ର ଆବଶ୍ୟକତା ପଡୁଛି l ଏହି ପ୍ରମାଣପତ୍ର ଖୋଲିବାକୁ ଏକ ମାସ ସମୟ ଲାଗୁଥିବାରୁ ଏହା ଏବେ ସମ୍ଭବପର ହୋଇପାରୁନାହିଁ l ଫଳରେ ଏଵେ ବଂଶଗତ ରିପୋର୍ଟ ପାଇବାକୁ ଚାଷୀ ମାନେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳୟରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି l ଏହି ରିପୋର୍ଟ ପାଇବା ପାଇଁ ଚାଷୀମାନଙ୍କୁ ୩ ରୁ ୪ ଥର ଦୌଡିବାକୁ ପଡୁଥିବା ସହ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡୁଛି l ସେହିପରି ଭାଗଚାଷ କରୁଥିବା ଚାଷୀଙ୍କ ମାଲିକ ବାହାରେ ରହୁଥିବାରୁ ପଞ୍ଜିକରଣ ନିମନ୍ତେ ଭଗଚାଷୀ ସହ ଆସିବା ସମ୍ଭବପର ହୋଇପାରୁନାହିଁ l ଏ ସବୁ କଟକଣାକୁ ଚାଷୀମାନେ ତୀବ୍ର ବିରୋଧ କରିବା ସହ ରାଜ୍ୟ ସରକାର ଏ ଦିଗରେ କିଛି କୋହଳତା ଅବଲମ୍ବନ କରିବାକୁ ଚାଷୀ ମହଲରେ ଦାବୀ ହୋଇଛି l ଅନ୍ୟଥା ଚାଷୀମାନେ ବାଧ୍ୟ ହୋଇ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଏବେ ଠାରୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ