ପୂର୍ବତନ କୁଳପତିଙ୍କ ବିଭ୍ରାନ୍ତୀକର ନିଯୁକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
ବାରିପଦା, ୨୭ ଜୁଲାଇ (ହି.ସ.) - ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନିର୍ଦେଶ ଅନୁଯାୟୀ କୁଳସଚିବଙ୍କ ଚିଠି ନମ୍ବର ୮୦/୩୦.୦୧.୨୦୨୫ ଅନୁଯାୟୀ ପ୍ରଫେସର ସୁକାନ୍ତ କୁମାର ନାୟକଙ୍କୁ ଦୂରନିରନ୍ତର ଓ ଅନଲାଇନ ଶିକ୍ଷାର ନିର୍ଦେଶକ
ପୂର୍ବତନ କୁଳପତିଙ୍କ ବିଭ୍ରାନ୍ତୀକର ନିଯୁକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି


ବାରିପଦା, ୨୭ ଜୁଲାଇ (ହି.ସ.) - ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନିର୍ଦେଶ ଅନୁଯାୟୀ କୁଳସଚିବଙ୍କ ଚିଠି ନମ୍ବର ୮୦/୩୦.୦୧.୨୦୨୫ ଅନୁଯାୟୀ ପ୍ରଫେସର ସୁକାନ୍ତ କୁମାର ନାୟକଙ୍କୁ ଦୂରନିରନ୍ତର ଓ ଅନଲାଇନ ଶିକ୍ଷାର ନିର୍ଦେଶକ ରୂପେ ନିଯୁକ୍ତି ଦିଆଯାଇଥିଲା । ସେଥିରେ ଏକ ବର୍ଷ ପର୍ଯ୍ୟନ୍ତ ନିଜ ମୂଳ ବିଭାଗର କୌଣସି ଦାୟିତ୍ୱରେ ସେ ରହିପାରିବେନି ବୋଲି ଉଲ୍ଲେଖ ଥିଲା । ପୁଣି ପୂର୍ବତନ କୁଳପତିଙ୍କ ନିର୍ଦେଶ ଅନୁଯାୟୀ ଚିଠି ନମ୍ବର ୩୨୨୩ /୦୬.୦୬.୨୦୨୫ ମୁତାବକ କୁଳସଚିବ ପ୍ରଫେସର ନାୟକଙ୍କୁ ବାୟୋଟେକ୍ନୋଲୋଜି ବିଭାଗରେ ବିଭାଗୀୟ ମୁଖ୍ୟ ରୂପେ ନିଯୁକ୍ତି ଦେଇଛନ୍ତି । ଚିଠି ଅନୁଯାୟୀ ତାଙ୍କର ମୂଳ ବିଭାଗରେ କୌଣସି କାର୍ଯ୍ୟ ନଥିବା ବେଳେ ପୁଣି ବର୍ଷେ ନପୁରିବା ପୂର୍ବରୁ କିପରି ତାଙ୍କୁ ବିଭାଗୀୟ ମୁଖ୍ୟ କରାଗଲା ଏବଂ କେଉଁ ସ୍ୱାର୍ଥରେ କରାଗଲା ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବାବଦରେ ବାରିପଦାର ପୂର୍ବତନ ବିଧାୟକ ତଥା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ ଓ ସିଣ୍ଡିକେଟ ସଦସ୍ୟ କିଶୋର ଦାଶ ପୂର୍ବତନ କୁଳପତି ଏକ ଗାରିମାମୟ ପଦବୀରେ ରହି ବିଶ୍ୱବିଦ୍ୟାଳୟକୁ ଖେଳନା ରୂପେ ବ୍ୟବହାର କରିବାର ଅନେକ ଦୃଷ୍ଟାନ୍ତ ମଧ୍ୟରୁ ଏହି କାର୍ଯ୍ୟଟି ଅନ୍ୟତମ ବୋଲି କହିଛନ୍ତି । ମନଇଛା ନିଷ୍ପତି ନେବା ପୁଣି ନିଜ ନିଷ୍ପତିକୁ ବାରମ୍ବାର ବଦଳେଇବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସ୍ୱାଭିମାନ ପ୍ରତି କୁଠାରଘାତ ସଦୃଶ । ନୂତନ ଭାରପ୍ରାପ୍ତ କୁଳପତିଙ୍କୁ ଶ୍ରୀଦାଶ ସ୍ୱାଗତ କରିବା ସହ ପୂର୍ବତନ କୁଳପତିଙ୍କ ଏହିଭଳି ବିଭିନ୍ନ ବିଭ୍ରାନ୍ତିକର ନିଷ୍ପତିର ପୁନର୍ବିଚାର କରିବାକୁ ସେ ଦାବୀ କରିଛନ୍ତି । ଯେଉଁ ଲକ୍ଷ ରଖି ବହୁ ବର୍ଷ ଧରି ସଂଘର୍ଷ ଓ ଆନ୍ଦୋଳନର ଫଳ ସ୍ୱରୂପ ମୟୁରଭଞ୍ଜ ବାସୀଙ୍କୁ ଏହି ବିଶ୍ୱବିଦ୍ୟାଳୟ ଟି ମିଳିଥିଲା, ତାହା ଯେପରି ବୃଥା ନଯାଉ ସେଥିପ୍ରତି ଏହି ଜିଲ୍ଲାର ବର୍ତମାନର ବିଧାୟକ, ମନ୍ତ୍ରୀ, ଲୋକସଭା ସାଂସଦ, ବୁଦ୍ଧିଜୀବୀ ସମସ୍ତେ ଯତ୍ନବାନ ହେବାକୁ ଶ୍ରୀ ଦାଶ ଆହ୍ୱାନ ଦେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଏହି ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦେବାକୁ ଦାଶ ପୁଣି ଥରେ ରାଜ୍ୟ ସରକାର ଓ କୁଳାଧିପତିଙ୍କ ଠାରେ ଦାବି ଜଣେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande