କୋରେଇ, ୨୭ ଜୁଲାଇ (ହି.ସ.)- ବୈତରଣୀ ଓ ତା'ର ଶାଖା ନଦୀ ବୁଢା ନଦୀରେ ଚଳିତ ବର୍ଷର ତୃତୀୟ ବନ୍ୟା ଜଳ ପ୍ରଭାବିତ ହେଉଛି । ନଦୀ ଫୁଲିକି ରହିଛି । ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଫଳରେ ବର୍ଷା ନହେଲେ ବି ଉପରମୁଣ୍ଡର ବର୍ଷା ଯୋଗୁ ବନ୍ୟା ଆଶଙ୍କା ଟଳିଯାଇଛି । ଯାଜପୁର ଜଳ ସମ୍ପଦ ବିଭାଗ ଅଧିନସ୍ଥ ଆଖୁଆପଦା ଆନିକଟ ନିକଟରେ ବିପଦ ସଙ୍କେତ ୧୮.୩୩ ଥିବାବେଳେ ଗତକାଲି ରାତି ୧୨ଟା ପର୍ଯ୍ୟନ୍ତ ଜଳସ୍ତର ବଢି ୧୮.୯୭ ପର୍ଯ୍ୟନ୍ତ ଯାଇଥିଲା । ପରେ ଧିରେ ଧିରେ ଜଳସ୍ତର ହ୍ରାସ ପାଇଥିଲା । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଜଳସ୍ତର ହ୍ରାସ ପାଇ ୧୭.୭୫ରେ ପହଂଚିଛି । ଜଳସ୍ତର ପ୍ରତି ଘଂଟାରେ ହ୍ରାସ ପାଉଛି । ଜଳସ୍ତର କମୁଥିବା ଫଳରେ ବନ୍ୟା ହେବାର ସମ୍ଭାବନା ନାହିଁ । ବିଭିନ୍ନ ସ୍ଥାନରେ ଉପରକୁ ଉଠିଥିବା ଜଳସ୍ତର ନଦୀ ଗର୍ଭକୁ ଚାଲିଯାଇଛି । କେବଳ ଏହି ଅଂଚଳରେ ବର୍ଷା ହୋଇନଥିବାରୁ ନାଳ ଗୁଡିକ ଶୁଖିଲା ଥିବାରୁ ପାଣି ଜମି ରହିୁନାହିଁ । ଆଜି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ମୂଳାପାଳ ଲିଙ୍ଗେଶ୍ୱର ନିକଟରେ ପହଂଚି ପାଣିର ଅବସ୍ଥା ଦେଖିଥିଲେ । ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ମୂଳାପାଳ ସରପଂଚ ଜୟନ୍ତ ନାୟକ, ସମିତିସଭ୍ୟ ମଧୁସୂଦନ ନନ୍ଦୀ, ଗୋଲକ ଚନ୍ଦ୍ର ମାଝୀ, ନିଂରଜନ ନାୟକ, ସୌମ୍ୟ ରଂଜନ ଧଳ, ପ୍ରତାପ ମହାନ୍ତି, ସଂଜୀବ ନାୟକଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ବୈତରଣୀ ନଦୀର ବ୍ରିଜ ତଳେ ଥିବା ରାସ୍ତା ଅଣ ଓସାର ଥିବା ଯୋଗୁ ଯାତାୟତରେ ବହୁ ସମସ୍ୟା ଦେଖାଦେଉଛି । ଏନେଇ ଲୋକମାନଙ୍କ ସହ ଆଲୋଚନା ପରେ ଏହାର ପ୍ରତିକାର ପାଇଁ ଶ୍ରୀ ଦାସ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନ କରି ସମସ୍ୟାର ସମାଧାନ ପାଇଁ ତ୍ୱରୀତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ