ଭଦ୍ରକ, ୨୮ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ଚାନ୍ଦବାଲିର ତଳିଆ ଅଂଚଳ ଭାବେ ପରିଚିତ ଆରଡି, ମୁଆ , ସନ୍ତରା, ସିଙ୍ଗିପୁର, ବାତୋଳ, ଶୀତଳପୁର, ଓଳଗ, ଷାଠି୍ୱାଙ୍କୁଡା ଦେଖାଦେଇଥିବା ବୈତରଣୀ ନଦୀର ବନ୍ୟା, କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଗତକାଲି ଠାରୁ ଆରଡି,ଓଳଗ , ବୋଡକ, ଦୋହରାପାଟଣା, ଅମୃତମଣୀ, ସୁନ୍ଦରପୁର, ଖଟୁଆପାଟଣା, ପାରଡିଆ, ଚମ୍ପାସାହି, ନାନ୍ଦପୁର, ପହଣା, କୋଇଲିଖିଆ , ପାଲଟପୁର, ବାଙ୍କମୁଆ ଆଦି ୨୦ଟି ଗାଁ ପ୍ରଭାବିତ ହୋଇଛି। ଏହି ଅଂଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି। ଆଖଣ୍ଡଳମଣି -କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂବାରୁ ୨ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିଲା, ସୋମବାର କମିବାରୁ ଯାତାୟତ ଧିରେଧିରେ ସ୍ୱଭାବିକ ହୋଇଥିଲା। ହେଲେ ଉକ୍ତ ୨୦ନମ୍ୱର ଜାତୀୟ ରାଜପଥର ମୁଆ ଘୋଷରା ଠାରେ ବନ୍୍ୟାପାଣି ପ୍ରବାହିତ ହେବା ସହ ଧାନଖଣିଆ-ଆରଡି ରାସ୍ତାର ସତସଙ୍ଗ କେନ୍ଦ୍ର ଠାରେ ବନ୍ୟାପାଣି ୨/୩ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଏପରିକି ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ବୈତରଣୀ ନଦୀ ଆରଡି ପୀଠ ଠାରେ ସାଳନ୍ଦୀନଦୀରେ ମିଶିଥିବାରୁ ଉଭୟ ନଦୀ ଉଛୁଳା ରହିବା ସହ ଅନେକ ତଳିଆ ଅଂଚଳ ବନ୍ୟା ଘେରରେ ରହିଥିବା ବେଳେ ନଦୀକୂଳ ଦୋହରା ଓ ବୋଡକ କିଛି ସାହିରେ ବନ୍୍ୟାପାଣି ପଶିଛି। ଏପଟେ ରାଜ୍ୟ ଜଳସେଚନ ବିଭାଗର ନିର୍ବାହିଯନ୍ତ୍ରୀଙ୍କ ସହ ଏକ ୪ଜଣିଆ ଟିମ୍ ବୈତରଣୀ ନଦୀର ଷାଠିବାଙ୍କୁଡା, ବୋଡକ ଆଦି ସ୍ଥାନ ବୁଲି ଦେଖିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ