ସମ୍ବଲପୁର, ୨୮ ଜୁଲାଇ (ହି.ସ.) - ବୁର୍ଲା ଭୀମସାର୍ ଆଇସିୟୁରେ ଚିକିତ୍ସାଧୀନ ଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ଆଜି ପରଲୋକ ହୋଇଯାଇଛି । ଗତ ୧୯ ତାରିଖ ଦିନ କୁଆଗୋଲା ନିକଟ ମୁକ୍ତେଶ୍ୱର ମନ୍ଦିରକୁ ସପତ୍ନୀକ ଏକ ବିଶେଷ ଖବରର ସମୀକ୍ଷା ସଂଗ୍ରହ କରି ବାଇକରେ ଫେରିବା ବାଟରେ ଏନଏଚ ୫୩ କୁଲୁଣ୍ଡି ନିକଟ ପତରଫଣ୍ଡି ଛକ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୃତଗାମୀ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୀର୍ଘ ୧୦ ଦିନ ଧରି ବୁର୍ଲା ଆଇସିୟୁରେ ଜୀବନ ସହ ସଂଗ୍ରାମ କରି ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ଖବର ଶୁଣିବା ପରେ ଜମନକିରା ଅଂଚଳରେ ସ୍ୱର୍ଗତ ଦାସଙ୍କ ପରିଚିତ ବନ୍ଧୁ ଓ ଶୁଭେଛୁ ମହଲରେ ଗଭୀର ଶୋକ ପ୍ରକାଶ କରି ତାଙ୍କ ସ୍ମୃତିଚାରଣ କରିଛନ୍ତି। ଗ୍ରାମ ଉନ୍ନୟନ ବିଭାଗ ତଥା ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ, କେନ୍ଦ୍ରମନ୍ତ୍ରୀ ତଥା ସାଂସଦଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ବିଡ଼ିଓ ରବିନ୍ଦ୍ର ସେଠୀ, ବ୍ଲକ୍ ସାମ୍ବାଦିକ ୟୁନିଅନ୍ ସଭାପତି କ୍ଷିତିରଞ୍ଜନ ପଧାନ, ସାମ୍ବାଦିକ ଲିପନ୍ ନାଏକ, ସମାଜସେବୀ ଆଦିପ୍ରସାଦ ମହାକୁଲ, ଆଡଭୋକେଟ କାନନବାଲା ପଟ୍ଟନାୟକ, ସରୋଜ ପଟ୍ଟନାୟକ, ବିଜେପି ଜମନକିରା ମଣ୍ଡଳ ସଭାପତି ବିଜୟ ନାଏକ, ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ମନୋଜ ମାଝୀ, ବ୍ଲକ୍ କଂଗ୍ରେସ ସଭାପତି କେଦାରନାଥ ବରିହା, ମୁକ୍ତେଶ୍ୱର ସାହିତ୍ୟ ସଂସଦ ସଭାପତି ଗୋକୁଳାନନ୍ଦ ଦାନୀ, ମୁକ୍ତେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ପି. କେ କନ୍ନପା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀକାନ୍ତ ପଟେଲ, ଯୁବ ନାଗରିକ ସୁରକ୍ଷା ମଂଚ ସଭାପତି ଅବଦୁଲ ଗୁଳାମ କାଦି,ର୍ ଜମନକିରା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ