ଜୟପୁର, ୨୮ ଜୁଲାଇ (ହି.ସ.) - ଗତ ଦୀର୍ଘ ୨୭ଦିନ ହେଲାଣି ବିଶାଖପାଟଣା –କିରଣ୍ଡୁଲ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ କୋରାପୁଟ ଏବଂ ଜଗଦଲପୁର ମଧ୍ୟରେ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଫଳରେ କୋରାପୁଟ ଜିଲ୍ଲାର ଜୟପୁର, କୋଟପାଡ, ବୋରିଗୁମ୍ମା, ବୈପାରୀଗୁଡା, କୁନ୍ଦୁରା ବ୍ଲକ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲା ସମେତ ପୋଡଶୀ ଛତିଶଗଡ ରାଜ୍ୟର ସାଧାରଣ ଲୋକମାନେ ଜଗଦଲପୁର ଠାରୁ ଭୁବନେଶ୍ୱର, ବିଶାଖପାଟଣା, ରାଉରକେଲାକୁ ଚଳାଚଳ କରୁଥିବା ଦୃତଗାମୀ ଏବଂ ପାସେଞ୍ଜର ଟ୍ରେନ ଯୋଗେ ଯାତାୟାତ କରି ନପାରି ହନ୍ତସନ୍ତ ହେଉଛନ୍ତି । ଏହିପରି ଲୋକଙ୍କ ସମସ୍ୟା ନେଇ ତୁରନ୍ତ କୋରାପୁଟ-ଜଗଦଲପୁର ମଧ୍ୟରେ ଟ୍ରେନ ଚଳାଚଳକୁ ନେଇ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ରେଳବିଭାଗ କିମ୍ବା କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ଦାବି କିମ୍ବା ପ୍ରତିବାଦ ଉପସ୍ଥାପନ କରିନାହାଁନ୍ତି । ଶେଷରେ ବିଜୁ ଜନତାଦଳ ରାଜ୍ୟ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ବିଜେଡି ଆଜି ପୂର୍ବାହ୍ନ ୧୧ ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜୟପୁର ଉପଖଣ୍ଡର ୫ଟି ବ୍ଲକ ବିଜେଡି ଦଳ ମିଳିତ ଭାବେ ସ୍ଥାନୀୟ ରେଳଷ୍ଟେସନ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହିପରି ଯଥାଶିଘ୍ର ଜଗଦଲପୁର ପର୍ଯ୍ୟନ୍ତ ଯାତାୟାତ କରୁଥିବା ବାହାର ରାଜ୍ୟ ଏବଂ ରାଜ୍ୟର ଭୁବନେଶ୍ୱର, ରାଉରକେଲାକୁ ଏକ୍କପ୍ରେସ ଏବଂ ପାସେଂଜର ଟ୍ରେନ ଚଳାଚଳ କରିବାକୁ ଦାବି କରାଯାଇଛି । ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯାଇ ଜୟପୁର ଷ୍ଟେସନ ଦେଇ ଯାତାୟାତ କରୁଥିବା ସମସ୍ତ ମାଲବାହୀ ଟ୍ରେନ ଚଳାଚଳକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବିପତ୍ର ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବିଭାଗର ସାଧାରଣ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ରେଳବିଭାଗର ବିଶାଖପାଟଣା ଡିଭିଜନର ଜୈନିକ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ଜୟପୁର-ମାଲକାନଗିର ଏବଂ ଜୟପୁର- ନବରଙ୍ଗପୁର ପ୍ରସ୍ତାବିତ ରେଳଧାରଣା କାର୍ଯ୍ୟ ତୁରନ୍ତ ତ୍ୱାରିନ୍ନିତ କରିବା । ବନ୍ଦେ ଭାରତ ଦୃତଗାମୀ ଟ୍ରେନ ଭୁବନେଶ୍ୱର ଠାରୁ ବିଶାଖପାଟଣା ପର୍ଯ୍ୟନ୍ତ ଯାତ୍ରା କରୁଛି । ଏହାକୁ ଆରକୁ ଏବଂ କୋରାପୁଟ ଦେଇ ଜୟପୁର ପର?୍ୟ୍ୟନ୍ତ ବୃଦ୍ଧି କରିବା, ଦିନରେ ଜଗଦଲପୁର ଠାରେ ପୁରୀ ପର୍ଯ୍ୟନ୍ତ ଏକ ଦୃତଗାମୀ ଟ୍ରେନ ସମ୍ବଲପୁର, କଟକ , ଭୁବନେଶ୍ୱର ଦେଇ ଯାତାୟାତ କରିବାକୁ ଦାବି କରାଯାଇଛି । ପ୍ରକାଶଯେ, କୋରାପୁଟ ଠାରୁ ଜଗଦଲପୁର ପର୍ଯ୍ୟନ୍ତ ସଂଯୋଗ କରୁଥିବା ରେଳଧାରଣାର ଜରଟି ଏବଂ ମାଳିଗୁଡା ଷ୍ଟେସନ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ଗତ ୨ ତାରିଖ ଅପରାହ୍ନରେ ପାହାଡ଼ ଧସି ରେଳ ଧାରଣା ଉପରେ ମାଟି ଓ ବଡ ପଥର ପଡିଯାଇଥିଲା। ଫଳରେ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିଲା । ଏହିପରି ଜୟପୁର ଏବଂ ଜଗଦଲପୁର ଷ୍ଟେସନକୁ ଉକ୍ତ ଟ୍ରେନ ଗୁଡିକ ଆସି ନପାରି କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବା ସହ ସେଠାରୁ ଫେରିଯାଉଥିଲା । ଫଳରେ ଯାତ୍ରୀମାନେ କୋରାପୁଟ ରେଳଷ୍ଟେସନର ଓହ୍ଲାଇ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଏବଂ ଅଧିକ ଟଙ୍କା ଦେଇ ଅନ୍ୟାନ୍ୟ ଯାନବାହନରେ ଜୟପୁର ଉପଖଣ୍ଡ ଅଂଚଳ ସମେତ ମାଲକାଗିରି ଓ ନବରଙ୍ଗୁପର ଜିଲ୍ଲା ଏବଂ ପୋଡଶୀ ଛତିଶଗଡ ଜିଲ୍ଲାକୁ ଯାତାୟାତ କରୁଥିଲେ, କିମ୍ବା ଗରୀବ ଓ ସାଧାରଣ ବର୍ଗ ଯାତ୍ରୀ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସ ଏବଂ ଅନ୍ୟାନ୍ୟ ଯାନକୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ନିଜ ନିଜ ସହର ଓ ଗ୍ରାମକୁ ଯାତାୟାତ କରୁଛନ୍ତି । କିନ୍ତୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଏହି ଯାତ୍ରୀବାହୀ ଟ୍ରେନ ଜୟପୁର ଦେଇ ଜଗଦଲପୁର ମଧ୍ୟରେ ଚଳାଚଳ ନେଇ ବାରମ୍ବାର ତାରିଖର ପରିବର୍ତନ କରିବା ସହ ସାଧାରଣ ଯାତ୍ରୀଙ୍କୁ ହଇରାଣ କରୁଛନ୍ତି ବୋଲି ଏହି ବିକ୍ଷୋଭକାରୀ ମାନେ ଅଭିଯୋଗ କରିଛନ୍ତି । ଏହିପରି ରେଳବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ରେଳ ଧାରଣାରୁ ମାଟି ହଟା ଯାଇଥିଲା। ଟ୍ରାକ ଓ ବିଦ୍ୟୁତ୍ ବ୍ୟବସ୍ଥା ସମ୍ପୁର୍ଣ୍ଣ ପ୍ରସ୍ତୁତ ଓ କାର୍ଯ୍ୟକାରୀ କରାଯାଇଛି ଏବଂ ରେଳ ବିଭାଗକୁ ସେଠାରେ ମରାମତି କାର୍ଯ୍ୟ କରିଥିବା ବିଭାଗୀୟ ବୈଷୟିକ ବିଷେଶଜ୍ଞ ଦଳ ପକ୍ଷରୁ ଟ୍ରେନ ଚଳାଚଳ ନେଇ ସବୁଜ ସଙ୍କେତ ଦିଆଯାଇଛି । କିନ୍ତୁ ବିଭାଗ ପକ୍ଷରୁ ଆର୍ôଥକ ଲାଭ ଦେଉଥିବା ମାଲବାହୀ ଟ୍ରେନ ଚଳାଚଳକୁ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲେ ସୁଦ୍ଧା ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ବନ୍ଦ ରଖାଯାଇ ନାଗରିକତ ମୌଳିକ ଅଧିକାରକୁ କୁଠାରଘାତ କରିଛନ୍ତି ବୋଲି ବିକ୍ଷୋଭ କାରି ମାନେ କହିଛନ୍ତି । ଏହି ଆନ୍ଦୋଳନରେ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ରାଧା ବିନୋଦ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବାଲା ରାୟ, ସୂର୍ଯ୍ୟନାରାୟଣ ରଥ, ଦୁର୍ଗା ପ୍ରସାଦ ମିଶ୍ର, ନାଗୁ ଦୋରା, ବିରେନ ବିଶୋୟୀ, ହର ପ୍ରସାଦ ମିଶ୍ର, ଗଣେଷ ପାଢୀ, ବି.ସୁନିତା, ଟୁଇଙ୍କେଲ ମିଶ୍ର, ବାଲିଙ୍କି ରାଓ, ଶିବ ପଟ୍ଟନାୟକ, ମହେନ୍ଦ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି