ଚମ୍ପୁଆ, ୨୮ ଜୁଲାଇ(ହି.ସ.) – ଚମ୍ପୁଆ ଥାନା ଅନ୍ତର୍ଗତ ନୂଆଧନୁର୍ଜୟପୁର ଗ୍ରାମର ଦେଶ ସେବାରେ ନିଯୁକ୍ତ ଥିବା ଯବାନ ବିଜୟ କୁମାର ପ୍ରଧାନଙ୍କ ଶେଷ କୃତ ଗାଁ ମଶାଣୀରେ ସଂପର୍ଣ୍ଣ ହୋଇଛି। ସୀମା ସୁରକ୍ଷାବଳ ପକ୍ଷରୁ ସ୍ୱର୍ଗତ ବିଜୟ ପ୍ରଧାନଙ୍କୁ ତୋପ ସଲାମି ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ସଲାମି ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟକି ଯବାନ ବିଜୟ କୁମାର ପ୍ରଧାନ ଭାରତୀୟ ସୀମା ସୁରକ୍ଷା ବଳରେ ଫାର୍ମାସିଷ୍ଟ ଭାବେ ସିଲିଗୁଡି ଠାରେ କାର୍ଯ୍ୟରତ ଥିଲେ । ଗତ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୪୬ ବାଟାଲିୟନର ଏଏସ୍ଆଇ ଭାବେ କାର୍ଯ୍ୟ କରୁଥିବା ବିଜୟ କୁମାର ପ୍ରଧାନଙ୍କ ମର ଶରୀର ଆଜି ପର୍ଶଳା ଠାରେ ପହଁଚିବା ପରେ ଶତାଧିକ ଗ୍ରାମବାସୀ ମଟର ସାଇକେଲ ଶୋଭାଯାତ୍ରାରେ ବିଜୟ କୁମାର ଅମର ରହେ ଓ ଭାରତ ମାତାକି ଜୟ ଧ୍ୱନି ଦେଇ ତାଙ୍କ ପୈତୃକ ଗ୍ରାମ ଧନୁର୍ଜୟପୁରକୁ ନେଇଥିଲେ। ସେଠାରେ ଗ୍ରାମବାସୀ ଓ ପରିବାର ଲୋକ ସମେତ ବିଭିନ୍ନ ଅଧିକାରୀ ମାନେ ତାଙ୍କର ଶେଷ ଦର୍ଶନ କରିଥିଲେ। ପରେ ପାରମ୍ପରିକ ରୀତିନୀତିରେ ତାଙ୍କ ମର ଶରୀରକୁ ଗାଁ ମୁଣ୍ଡ ମଶାଣୀକୁ ନିଆଯାଇଥିଲା। ସେଠାରେ ଆନୁଷ୍ଠାନିକ ଭାବେ ତୋପ ସଲାମି ପ୍ରଦାନ କରାଯାଇଥିଲା। ସ୍ୱର୍ଗତ ପ୍ରଧାନ ୧୫ ନଭେମ୍ବର ୨୦୧୦ ମସିହାରେ ଭାରତୀୟ ସୀମା ସୁରକ୍ଷା ବଳରେ ଯୋଗ ଦେଇଥିଲେ। ପ୍ରଶାସନ ପକ୍ଷରୁ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରପ୍ରିୟା ନାଏକ, ଝୁମ୍ପୁରା ବିଡିଓ ହୃଦାନନ୍ଦ ଓଢା, ତହସିଲଦାର ରୋହିତ ବାଗ, ଚମ୍ପୁଆ ଆଇଆଇସି ରମାକାନ୍ତ ମୁଦୁଲୀ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta