ସମ୍ବଲପୁର, ୨୮ ଜୁଲାଇ (ହି.ସ.)-
ସମ୍ବଲପୁର ସହରର ଅନ୍ୟତମ ଆକର୍ଷଣୀୟ ଦୁର୍ଗାପୂଜା ଆୟୋଜନ କରିଆସୁଥିବା ଗୋବିନ୍ଦତୋଳା ଦୁର୍ଗାପୂଜା କମିଟିର ସାଧାରଣ ବୈଠକ କମିଟିର ପୂର୍ବତନ ସଭାପତି ପ୍ରଦୀପ ପାଢ଼ୀଙ୍କ ସଭାପତିତ୍ୱରେ ତାଙ୍କ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ କମିଟିର ସକ୍ରିୟ ସଦସ୍ୟ ତଥା ଅନ୍ୟତମ ପୃଷ୍ଠପୋଷକ ସୁନୀଲ ମହାପାତ୍ର (ଟୁକୁ)ଙ୍କ ଅକାଳ ବିୟୋଗରେ ସଦସ୍ୟ ମାନଙ୍କ ଦ୍ୱାରା ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ଏହି ପରିପ୍ରେକ୍ଷିରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ବରିଷ୍ଠ ସଦସ୍ଯ ମାନେ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ l ପରେ ପରେ କମିଟିର କୋଷାଧ୍ୟକ୍ଷ ଦିଲୀପ ଠାକୁର, ପୂର୍ବ ବର୍ଷର ଆୟ-ବ୍ୟୟର ହିସାବ ପ୍ରଦାନ କରିଥିଲେ l ଚଳିତ ବର୍ଷ ଦୁର୍ଗାପୂଜାକୁ ଅନ୍ୟବର୍ଷ ଭଳି ମହାସମାରୋହରେ ଆୟୋଜନ କରିବା ପାଇଁ ବୈଠକରେ ବିଭିନ୍ନ ଯୋଜନାର ଖସଡା ପ୍ରସ୍ତୁତ କରାଯାଇଥିଲା l ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କର ସର୍ବସମ୍ମତି କ୍ରମେ ଚଳିତ ବର୍ଷ ପାଇଁ ପ୍ରଦୀପ କୁମାର ପାଢ଼ୀଙ୍କୁ ପୁନର୍ବାର ସଭାପତି, ସଞ୍ଜୟ ସାହୁ ଓ ଶ୍ରୀକାନ୍ତ ପଣ୍ଡା ଉପସଭାପତି, ଅଜୟ କୁମାର ସାହୁ ସାଧାରଣ ସମ୍ପାଦକ, ସହ ସମ୍ପାଦକ ଭାବରେ ରାଜକିଶୋର ପୁରୋହିତ, ପ୍ରସନ୍ନ କୁମାର ପାଢ଼ୀ ଓ ଅଭିଳାଷ ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ ରମାକାନ୍ତ ବରିହା, ସହ କୋଷାଧ୍ୟକ୍ଷ ଭାବେ ଦିଲୀପ କୁମାର ଠାକୁରଙ୍କୁ ଚୟନ କରାଯାଇଛି l ଏଥିସହ ଲଟେରୀ କମିଟିର ଅଧ୍ୟକ୍ଷ ଭାବରେ ସଞ୍ଜୟ ତ୍ରିପାଠୀ, ସହ ଅଧ୍ୟକ୍ଷ ଭାବେ ଶୁଭମ ମହାପାତ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ଚଳିତ ବର୍ଷର ଦୁର୍ଗାପୂଜା ପାଇଁ ଦାଶରଥି ପଣ୍ଡାଙ୍କୁ ପୂଜା ଆସ୍ଥାନରେ କର୍ତ୍ତା ଭାବରେ ମଧ୍ୟ ଚୟନ କରାଯାଇଛି ।
ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ମା ଭୁବନେଶ୍ୱରୀଙ୍କ ପୂଜାରେ ଶ୍ରୀ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ ବୋଲି କମିଟିର ମିଡ଼ିଆ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ