କେନ୍ଦୁଝର, ୨୮ ଜୁଲାଇ (ହି.ସ.) - କେନ୍ଦୁଝର ପୋଲିସକୁ ମିଳିଛି ବଡ ସଫଳତା। କେନ୍ଦୁଝର ପୋଲିସର ନାକେଦମ୍ କରି ରଖିଥିବା ଏକ ଆନ୍ତଃରାଜ୍ୟ ଚେନ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସହ ପାଂଚ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ସମସ୍ତ ୮ ଟି ସୁନା ଚେନ,୨୧ ଟି ମୋବାଇଲ, ୧୪ ଟି ବାଇକ, ୧୧ହାଜର ଟଙ୍କା ମଧ୍ୟ ଜବତ କରିଛି ପୋଲିସ। ମୁଖ୍ୟ ପାଂଚ ଜଣ ହେଲେ ଚିନ୍ମୟ ପ୍ରଧାନ, ବିଜୟ ପ୍ରଧାନ, ଏ ଆସୁ, ଏମ ଅନିଲ ଓ ସୁନିଲ ଦାସ। ଏମାନଙ୍କ ସହ ଅନ୍ୟ ୧୫ ଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଜି ଜିଲ୍ଲା ମୁଖ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ।
ପ୍ରକାଶ ଯେ ଗତ ୧୬ ତାରିଖ ସନ୍ଧ୍ୟା ୬ ଟାରୁ ୮ ଭିତରେ ସହରର ବିଭିନ୍ନ ସ୍ଥାନରେ ଚେନ ଚୋରି ଅଭିଯୋଗ ହୋଇଥିଲା। ସହରରେ ଏହା ଏତେ ବଡ ଧରଣର ଡକାୟତି ହୋଇଥିବା ବେଳେ ପୋଲିସର କାର୍ଯ୍ୟ ନେଇ ସାଧାରଣରେ ଆଲୋଚନାର ବିଷୟ ହୋଇଥିଲା। ଏନେଇ ଜିଲ୍ଲା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ।
ସିସିଟିଭି ଫୁଟେଜ, ସାଧାରଣ ଗୁଇନ୍ଦା ରିପୋର୍ଟ ଅନୁସାରେ ଜିଲ୍ଲା ପୋଲିସ ଏହି ଘଟଣାର ମୁଖ୍ୟ ସ୍ଥାନରେ ପହଂଚିଥିଲେ। ଏହାର ମୁଖ୍ୟସ୍ଥାନ ଭାବେ ପୋଲିସ ଯାଜପୁର ଜିଲ୍ଲାର ଦଶମାଣିଆ, ମୁଣ୍ଡମାଲ ଓ ପୂର୍ବକୋଟର ବୋଲି ଜାଣିବାକୁ ପାଇଥିଲା। ଯାଜପୁର ଜିଲ୍ଲା ପୋଲିସ ସହାୟତାରେ କେନ୍ଦୁଝରର ସ୍ୱତନ୍ତ୍ର ଟିମ ଏହି ରାକେଟର ଗ୍ୟାଙ୍ଗ ସଦସ୍ୟ ଙ୍କୁ ଗିରଫ କରିବାରେ ସଫଳ ହୋଇଥଲା।
ପୋଲିସ ଛାନଭିନରୁ ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ ଓଡିଶା ସହ ଝାଡ଼ଖଣ୍ଡ, ବିହାର, ଉତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସେମାନଙ୍କ ରାକେଟ ଚଳାଇଥିବା ଜଣାପଡିଥିଲା। ଏମାନେ ଏକ ହଜାରରୁ ଉର୍ଦ୍ଧ୍ୱ ଚେନ୍ ଚୋରୀରେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା।
ଟାଉନ୍ ଥାନ ପକ୍ଷରୁ ଏମାନଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ୮ ଟି କେସ ରୁଜୁ ହୋଇଥିଲା। ଯଥାକ୍ରମେ କେସ ନମ୍ୱର୍ ୪୯୧/୨୫ , ୪୯୨/୨୫, ୫୧୫/୨୫, ୫୧୬/୨୫, ୫୧୭/୨୫,୫୧୮/୨୫, ୫୧୯/୨୫,୫୨୦/୨୫ ସେକ୍ସନ ୩୦୯(୪) ।
ଆଜି ଏହି ଗିରଫ ହୋଇଥିବା ସମସ୍ତ ଚେନ ଲୁଟେରାଙ୍କୁ ସହର ମଧ୍ୟରେ ସିନ ରିକ୍ରିଏସନ୍ କରିଥିଲା ଟାଉନ ପୋଲିସ। ଏନେଇ ଅଧିକ ତଦନ୍ତ ଜାରି ଥିବା ପୋଲିସ ପ୍ରକାଶ କରିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA