ବାରିପଦା, ୨୮ ଜୁଲାଇ (ହି.ସ.) - ବାରିପଦା ସହରର ତଖତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୂତନ ଭାରପ୍ରାପ୍ତ କୁଳପତି ଭାବେ ପ୍ରଫେସର ବିଧୁଭୂଷଣ ମିଶ୍ର ସୋମବାର ଅପରାହ୍ନରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପ୍ରଥମେ ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତିରେ ପୁଷମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ବିଧିବଦ୍ଧ ଭାବେ ଦାୟୀ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ସ୍ୱତନ୍ତ୍ର ଉପସ୍ଥାପନ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ମାନଙ୍କ ସହିତ ସୌଜନ୍ୟମୂଳକ ଭାବେ ଭାବର ଆଦାନ ପ୍ରଦାନ କରିଥିଲେ। ପ୍ରଫେସର ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଥିବା ବେଳେ ତାଙ୍କୁ ଏମଏସସିବି ବିଶ୍ୱବିଦ୍ୟାଳୟରେ ୬ମାସ ପାଇଁ ଅତିରିକ୍ତ ଭାବେ କୁଳପତି ଦାୟିତ୍ୱ ତୁଲାଇବାକୁ କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭପତି ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଅବସରରେ ସମସ୍ତେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗୋଟିଏ ଅଟେ। ତେବେ ଏହାର ଉନ୍ନତି ସାଧନ କରିବା ପାଇଁ ସେ ସଦା ସର୍ବଦା ପ୍ରଚେଷ୍ଟା ଜାରି ରଖିବେ। ଏଥିନିମନ୍ତେ ସେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଏକାନ୍ତ ସହଯୋଗ କାମନା କରିଛନ୍ତି। ଆଗାମୀ ଦିନରେ ସମସ୍ତଙ୍କୁ ମିଳିମିଶି ବିଶ୍ୱବିଦ୍ୟାଳୟର ଉତରୋତର ଉନ୍ନତି ନିମନ୍ତେ ନିଜର ଶ୍ରତ ପ୍ରତିଶତ ସାମର୍ଥ୍ୟକୁ ବିନିଯୋଗ କରିବା ଦିଗରେ ବଦ୍ଧ ପରିକର ହେବାକୁ କୁଳପତି ପ୍ରଫେସର ମିଶ୍ର ଆହ୍ୱାନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ