ଧର୍ମଶାଳା, ୨୮ ଜୁଲାଇ (ହି.ସ.)- ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଦମପାଳ ଗ୍ରାମରେ ଅଘଟଣ । ବାଇକକୁ ଧକ୍କା ଦେଲା କାର । ଫଳରେ ବାଇକ ଚାଳକ ରାସ୍ତା କଡରେ ଥିବା ଏକ ଅଳିଆ କୁଣ୍ଡରେ ପିଟି ହୋଇ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବାଇକ ଚାଳକ ଜଣକ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନୋଷ୍ଠା ଗ୍ରାମର ସାଧୁ ଚରଣ ମହାନ୍ତିଙ୍କ ବଡ ପୁଅ ସଂଜୟ(୨୫) ବୋଲି ଜଣାପଡିଛି । ବାଲିଚନ୍ଦ୍ରପୁର ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ପାଇଁ ତଦନ୍ତ ଚଳାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଥାନାକୁ ପଠାଇ ଦେଇଛି ।
ସୂଚନା ମୁତାବକ, ରବିବାର ରାତି ପ୍ରାୟ ୯ଟା ୪୦ ମିନିଟ ସମୟରେ ନୋଷ୍ଠା ଗ୍ରାମର ସାଧୁ ଚରଣ ମହାନ୍ତିଙ୍କ ବଡପୁଅ ସଂଜୟ ଏକ ହୋଣ୍ଡା ବାଇକରେ ମାମୁଁ ଘର କଦମପାଳରୁ ଘରକୁ ଫେରୁଥିବା ସମୟରେ କଦମପାଳ ହାଟ ପଡିଆ ନିକଟରେ ତାଙ୍କ ପଛ ପଟକୁ ଏକ ମାରୁତି ସୁଇଫ୍ଟ କାର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ଶବ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି l ଫେରାର ଗାଡିକୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ପୂର୍ବାହ୍ନରେ ଏକ ଶୋକକୂଳ ପରିବେଶରେ ଶେଷକୃତ ସମ୍ପନ୍ନ ହୋଇଥିବା ଜଣାପଡିଛି । ସ୍ୱର୍ଗତ ମହାନ୍ତି ବିଭିନ୍ନ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ