ନୂଆଦିଲ୍ଲୀ /ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା। ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ ଠିକ୍ ଭାବେ ହେଉନଥିବା ଅଭିଯୋଗ କରିବା ସହିତ ନାରୀଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳ ବ୍ୟବସ୍ଥାକୁ ଆକ୍ଷେପ କରି ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ । ଓଡ଼ିଶାରେ ମହିଳା ଏବଂ ଶିଶୁ ଅସୁରକ୍ଷିତ। ରାଜ୍ୟରେ ଜଳୁଛନ୍ତି ମହିଳା, ଦେଖୁଛନ୍ତି ସରକାର । ଓଡିଶାର ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ନାରା ଦେଇ ବର୍ଷାରେ ଭିଜି ଭିଜି ଏହି ପ୍ରତିବାଦ କରିଛନ୍ତି ବିଜେଡିର ସାଂସଦମାନେ । ବିଜେଡି ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ , ଶୁଭାଶିଷ ଖୁଣ୍ଟିଆ, ମୁନ୍ନା ଖାଁ, ମାନସ ମଙ୍ଗରାଜଙ୍କ ସହିତ ନିରଞ୍ଜନ ବିଶି ପ୍ରମୁଖ ସଂସଦ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାରେ ମହିଳା ଓ ପିଲାଙ୍କ ସହ ଅପରାଧ ଘଟୁଛି । ହେଲେ ବିଜେପି ସରକାର କିନ୍ତୁ ନିଷ୍କ୍ରିୟ ଅଛି। ତେଣୁ ବିଜେଡି ସାଂସଦମାନେ ଏହା ପ୍ରତିବାଦରେ ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ କରୁଛନ୍ତି। ଏଫଆଇର ଫାଇଲ୍ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି କହିବା ସହ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା