ସମ୍ବଲପୁର, ୨୯ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମଙ୍ଗଳପୁର ୟୁପି ସ୍କୁଲ୍ ରୁ ଚୋରୀ କରିଥିବା ଅଭିଯୋଗରେ ପୋଲିସ ୪ ଜଣ ଗିରଫ କରିବା ସହ ଚୋରୀ ସାମଗ୍ରୀ ଜବତ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ ୨୬ ତାରିଖ ରାତିରେ ରେଙ୍ଗାଲି ଥାନା ଅନ୍ତର୍ଗତ କାସିପାଲି ଗ୍ରାମର କ୍ଷମାସିନ୍ଧୁ ବଂଚୋର, ମଙ୍ଗଳପୁର ଗ୍ରାମର ନୃପ ଖଡିଆ, କତରବଗା ଥାନା ଅନ୍ତର୍ଗତ ପରଦେଶୀ ପାଲି ଗ୍ରାମର ନାଗାର୍ଜୁନ ଖଡ଼ିଆ ଓ ଅର୍ଜୁନ ଖାଡ଼ିଆ ମଙ୍ଗଳପୁର ଗ୍ରାମର ୟୁପି ସ୍କୁଲର ତିନୋଟି କ୍ଲାସ ରୁମର ତାଲା ଭାଙ୍ଗି ରୁମରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳରୁ ୧୧ ପାକେଟ୍ (ଆନୁମାନିକ ୫.୫ କୁଇଂଟାଲ), ଦୁଇଟି ଷ୍ଟାଣ୍ଡ ପଙ୍ଖା, ଓ ଗୋଟିଏ ସାମସଙ୍ଗ ଏଲ୍ଇଡି ଟିଭି ଚୋରୀକରି ନେଇ ଯାଇଥିଲେ। ପରଦିନ ଏହା ଜଣାପଡିବା ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରେଙ୍ଗାଲି ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ଚୋରୀ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିଥିଲା। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ