କେନ୍ଦ୍ରାପଡା, 3 ଜୁଲାଇ (ହି.ସ.): କେନ୍ଦ୍ରାପଡା ସହରର ସୁନେଇଲୋ ଗ୍ରାମର ବିଶିଷ୍ଟ ଗୀତିକାର ଯଥା କେନ୍ଦ୍ରାପଡାର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ କଳା କୁଟୀରର ସମ୍ପାଦକ ନିରଞ୍ଜନ କରଙ୍କ ଦ୍ୱାଦଶାହ ଉପଲକ୍ଷେ ହଜାରି ବଗିଚା ବିଦ୍ୟାଶ୍ରୀ ପ୍ୟାଲେସ୍ରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାଂଶୁ ଶେଖର ପଣ୍ଡା ପୌରୋହିତ୍ୟ କରିଥିବା ବେଳେ ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସ ପରିଚାଳନା କରିଥିଲେ । ତାଙ୍କ ସ୍ମୃତିସଭାର ତୁଳସୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନୃତ୍ୟଗୁରୁ ପ୍ରକାନ୍ତ ମହାରଣା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କବି ନିରଞ୍ଜନ କରଙ୍କ ଗୀତିକବିତା ସଂକଳନ ଉପରେ ଆଲୋକପାତ କରିଥିଲେ । ପ୍ରକାଶ ଥାଉ କି ସ୍ୱର୍ଗତ କର ଦୀର୍ଘ ଦୁଇବର୍ଷ ପୂର୍ବେ ରାଜ୍ୟ ଜୟଦେବ ଭବନରେ ତତ୍କାଳୀନ ଓଡିଶାର ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଦୀର୍ଘ ୩୦ବର୍ଷ ହେଲା କେନ୍ଦ୍ରାପଡା ସହରର ମଢିଆଳଠାରେ କଳା କୁଟୀର ନାମରେ ଏକ ସଂଗୀତ ନୃତ୍ୟ ଅନୁଷ୍ଠାନର ସମ୍ପାଦନ କରି ସେ ଜିଲ୍ଲାରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛନ୍ତି । ସ୍ମୃତିସଭା ପରେ କଳାକୁଟୀରର କଳା କୁଟୀରର ଶିଳ୍ପୀମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ କରଙ୍କର ପଟ୍ଟଶିଷ୍ୟ ନରେନ୍ଦ୍ର ସେନାପତିଙ୍କ ପରିଚାଳନାରେ ଓ ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ସଂଜୟ ସେନାପତି, ମୃତ୍ୟୁଞ୍ଜୟ ରାଉତ, କ୍ରିଷ୍ଣା ସାହୁ, ଦୁର୍ଗାପ୍ରସାଦ ସିଂ, ଦେବେନ୍ଦ୍ର ର୍ାଉତ, ରବିନ୍ଦ୍ର ନନ୍ଦ, ରାଜେୟା ଚୌଧୁରୀ, ନିତ୍ୟାନନ୍ଦ ବେହେରାଙ୍କ ସମେତ କଳା କୁଟୀରର ଶତାଧିକ ପୂର୍ବତନ ଓ ସଂପ୍ରତି ଥିବା ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାପଡା ସହରର ପ୍ରାକ୍ତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ହିରଣ୍ୟ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କଳା କୁଟୀରର ପୂର୍ବତନ ଛାତ୍ରୀ ରଶ୍ମିରେଖା ପଣ୍ଡା ଓ ଶ୍ରଦ୍ଧାଞ୍ଜଳି ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସ୍ୱର୍ଗତ କରଙ୍କର ଏକମାତ୍ର ପୁତ୍ର ନିଶିଥ୍ କର ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି