ପୁରୀ, ୩ ଜୁଲାଇ (ହି.ସ.)- ବାଲି ଖେଳୁଥିଲେ ନନ୍ଦସୁତ କଳା କହ୍ନେଇ । ଶିଶୁମାନେ ବାଲିରେ ଖେଳନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର । ଜନ୍ମ ସ୍ଥାନରେ ରହିଛି ଶରଧାବାଲି । ରଥ ଉପରେ ପ୍ରଭୁ ବିରାଜମାନ କଲେ ତାହା ବାମନ ରୂପ । ବାମନକୁ ମଧ୍ଯ ଶିଶୁ ରୂପରେ ଭକ୍ତ ଭାବିଥାଏ । ଭକ୍ତ ନିଜକୁ ଶିଶୁ ମନେକରି ଶରଧାବାଲିରେ ଗଡୁଛି । ଶରଧାବାଲିକୁ ମୁଣ୍ଡରେ ଲଗାଉଛି ଦେହରେ ବୋଳୁଛି ମୁଠାଏ ଶରଧାବାଲି ଗାମୁଛାରେ ବାନ୍ଧି ନେଉଛି । ଘରେ ଶରଧାବାଲି ରଖି ଘରୁ ଶୁଭକାମରେ ବାହାରିବା ବେଳେ ମଥାରେ ବାଲି ଲଗାଇ କର୍ମ କ୍ଷେତ୍ରକୁ ଯାଉଛି । ଶରଧାବାଲିରେ ରହିଛି ମହାଆକର୍ଷଣ । ଶିଶୁ ବେଳର କଥା ମନେ ପକାଇ ପ୍ରଭୁ ରତ୍ନସିଂହାସନ ଛାଡି ଶରଧାବାଲିକୁ ଆସୁଛନ୍ତି । ପହଣ୍ଡ ପହଣ୍ଡ କରି ଶରଧାବାଲିରେ ପ୍ରଭୁ ଖେଳି ଖେଳି ରଥ ଉପରକୁ ବିଜେ କରୁଛନ୍ତି । ଭକ୍ତ ମାନେ ଶରଧାବାଲିର ଆକର୍ଷଣ ଛାଡି ନପାରି ନଅଦିନ ଗହଳି ଲଗାଉଛନ୍ତି । ବଡଶଙ୍ଖ ଠାରେ ରହିଥିଲା ମାଳିନୀ ନଦୀ । ନଦୀ ଯୋଗୁ ଅତୀତରେ ଛଅଟି ରଥ ହୋଇଥିଲା । ଭାନୁଦେବ ରାଜାଙ୍କ ମହାରାଣୀ ଶ୍ରଦ୍ଧା ଦେବୀ ନଦୀ ପୋତିବା ପାଇଁ ବାଲି ଆଣିଥିଲେ । ସେହି ବାଲି ଏବେ ଶରଧାବାଲି ଭାବେ ପରିଚିତ । ଶ୍ରଦ୍ଧା ଦେବୀଙ୍କ ନାମ ଅନୁସାରେ ଶରଧାବାଲି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ