ମାଲକାନଗିରି, ୧ ଅଗଷ୍ଟ (ହି.ସ.)-
ମାଲକାନଗିରି ଜିଲ୍ଲାରେ କୁମ୍ଭୀର ଦେଖାଯିବା ଭଳି ବିରଳ ଘଟଣା ଯେକୌଣସି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ, କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୮୩ ଗ୍ରାମରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗତ ଦୁଇ ଦିନ ହେଲା ଗାଁ ପୋଖରୀରେ ଦୁଇଟି କୁମ୍ଭୀର ରହିଥିବାର ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଏହି କୁମ୍ଭୀର କେଉଁଠାରୁ ଆସିଲେ ତାହା କେହି ଜାଣି ନଥିବାର କହିଛନ୍ତି। ପୋଖରୀ ଭିତରେ କୁମ୍ଭୀର ଥିବାର ଜଣାପଡ଼ିବା ପରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି। ପୋଖରୀ ଭିତରୁ ବାହାରି ଗାଁକୁ ଚାଲି ଯିବାର ଭୟ ଥିବାରୁ ଲୋକମାନେ ପୋଖରୀ ଚାରିପଟେ କୁମ୍ଭୀର ଉପରେ ନଜର ରଖିଛନ୍ତି।
ଏ ସମ୍ପର୍କରେ ଆଜି ଗ୍ରାମବାସୀମାନେ ମୋଟୁ ବନ ବିଭାଗକୁ ଖବର ଦେବା ପରେ ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁଙ୍କ ସମେତ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଥିବାର ଦେଖିବାକୁ ମିଳିଛି। ପୋଖରୀ ଭିତରେ ଗାଧୋଇବା ପାଇଁ ବନ ବିଭାଗ ଗ୍ରାମବାସୀଙ୍କୁ ବାରଣ କରିଥିବାର ଜଣାପଡ଼ିଛି। ପୋଖରୀରେ ପାଣି ଭର୍ତ୍ତି ରହିଥିବାରୁ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଆସନ୍ତାକାଲି ଜାଲ ଓ ପାୱାର ବୋଟ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।
ପ୍ରକାଶ ଥାଉକି, ଗତବର୍ଷ ମଧ୍ୟ ଏମପିଭି ୫୫ ଗ୍ରାମ ପୋଖରୀରେ କୁମ୍ଭୀର ଥିବା ଦେଖାଯାଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ