ଜମି ଅଧିଗ୍ରହଣରେ ଅଟକିଛି ଜୟପୁର ବାଇପାସ୍ ରାସ୍ତା ନିର୍ମାଣ
ଜୟପୁର, ୧ ଅଗଷ୍ଟ (ହି.ସ.)- ଜୟପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୨୬ର ବାରିଣୀପୁଟ ଠାରୁ ଉମୁରୀ ଯାଏଁ ଆରମ୍ଭ ହୋଇଥିବା ବାଇବାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଧାର୍ଯ୍ୟ ସମୟ ଭିତରେ ଶେଷ ହୋଇପାରିଲା ନାହିଁ । ସରକାରୀ ଜମିରେ ରାସ୍ତାକାମ ଆରମ୍ଭ ହୋଇଥିବା ବେଳେ ୨୦ ପ୍ରତି
ଜମି ଅଧିଗ୍ରହଣରେ ଅଟକିଛି ଜୟପୁର ବାଇପାସ୍ ରାସ୍ତା ନିର୍ମାଣ


ଜୟପୁର, ୧ ଅଗଷ୍ଟ (ହି.ସ.)- ଜୟପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୨୬ର ବାରିଣୀପୁଟ ଠାରୁ ଉମୁରୀ ଯାଏଁ ଆରମ୍ଭ ହୋଇଥିବା ବାଇବାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଧାର୍ଯ୍ୟ ସମୟ ଭିତରେ ଶେଷ ହୋଇପାରିଲା ନାହିଁ । ସରକାରୀ ଜମିରେ ରାସ୍ତାକାମ ଆରମ୍ଭ ହୋଇଥିବା ବେଳେ ୨୦ ପ୍ରତିଶତ ବେସରକାରୀ ଜମି ଅଧିଗ୍ରହଣ ହୋଇନଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଜୟପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ଏକ ବାଇପାସ୍ ନିର୍ମାଣ ନେଇ ଦୀର୍ଘ ବର୍ଷ ହେବ ଦାବୀ ହୋଇ ଆସୁଥିଲା । କୋରାପୁଟ ଜିଲ୍ଲାର ଜୟପୁର ସହର ଦେଇ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟରୁ ହଜାର ହଜାର ଟ୍ରକ୍ ଏବଂ ବିଭିନ୍ନ ପ୍ରକାର ଯାନବାହାନ ଜୟପୁର ସହର ଦେଇ ପଡ଼ୋଶୀ ଛତିଶଗଡ଼ ସହ ଆମ ରାଜ୍ୟର ଦକ୍ଷିଣ ଏବଂ ପଶ୍ଚିମ ଅଂଚଳର ଭିନ୍ନ ଭିନ୍ନ ସ୍ଥାନକୁ ପ୍ରତ୍ୟେହ ଚଳପ୍ରଚଳ କରେ । କ୍ରମବର୍ଦ୍ଧିଷ୍ଣୁ ଜୟପୁର ସହରର ସ୍ଥିତିକୁ ଦେଖି ସାଧାରଣରେ ଏହି ଜାତୀୟ ରାଜପଥର ବାରିଣୀପୁଟ ଠାରୁ ଉମୁରୀ ଯାଏଁ ଏକ ବାଇପାସ୍ ରାସ୍ତା ନିର୍ମାଣର ଦାବି ହୋଇ ଆସୁଥିଲା । ଏହାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ବିଭାଗ ୨୦୨୧ ମସିହାରେ ଏହି ୫ କିମି ବାଇପାସ୍ ନିର୍ମାଣ ନେଇ ସ୍ୱୀକୃତି ପ୍ରଦାନ କରିଥିଲେ । ବାଇପାସ୍ ନିର୍ମାଣ ପାଇଁ ମୋଟ ୬୮.୩୪ କୋଟି ଟଙ୍କା ମଧ୍ୟ ବ୍ୟୟ ଅଟକଳ ହୋଇଥିବା ବେଳେ ୧୭.୩୭ ହେକ୍ଟର ବେସରକାରୀ ଜମି ଅଧିଗ୍ରହଣ ପ୍ରସ୍ତାବ ରହିଥିଲା । ଏହି ଜମି ଗୁଡ଼ିକ ୧୨୯ ଜଣକ ମାଲିକାନାରେ ରହିଥିବା ବେଳେ ଜୟପୁର ବ୍ଳକର ଦୁବୁଲି, ମକାପୁଟ ଏବଂ ଉମୁରୀ ଗ୍ରାମ ଅଧିନ ଥିଲା । ବଳକା ୩.୧୦୭ ହେକ୍ଟର ସରକାରୀ ଜମି ରାସ୍ତାରେ ଆସୁଥିଲା । ୨୨ା୫ା୨୩ ତାରିଖରେ ରାସ୍ତା କାଯ୍ୟ ଆରମ୍ଭ ହୋଇଥିଲା । ବାଇପାସ୍ ପାଇଁ ଟେଣ୍ଡର ହୋଇଥିବା ଠିକା ସଂସ୍ଥା ୧୮ ମାସ ମଧ୍ୟରେ କାମ ସାରିବାକୁ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ୨୦୨୩ ମେ ମାସ ଠାରୁ ଏହି କାମ ଆରମ୍ଭ ହୋଇଥିବା ବେଳେ ୧୨ା୧୧ା୨୪ ତାରିଖ ଧାର୍ଯ୍ୟ ସମୟରେ କାଯ୍ୟ ସାରିବାକୁ ଚୁକ୍ତି କରିଥିଲା । ଧାଯ୍ୟ ସମୟ ଶେଷ ହୋଇ ପାଖା ପାଖି ୭ ମାସ ବିତି ଯାଇଥିଲେ ବି ରାସ୍ତା କାଯ୍ୟ ଶେଷ ହୋଇ ପାରିଲା ନାହିଁ । ସରକାରି ଓ ବେସରକାରୀ ଜମି ୨୦.୪୭୭ ହେକ୍ଟର ଜମିରୁ ୮୦ ପ୍ରତିଶତ ଅଧିଗ୍ରହଣ ହୋଇ ସାରିଥିଲେ ବି ୨୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇପାରି ନାହିଁ । ଫଳରେ ରାସ୍ତା କାମ ଶେଷ ହୋଇ ପାରିନଥିବା ଜାତୀୟ ରାଜପଥ ବିଭାଗ ନିବାହୀଯନ୍ତ୍ରୀ ଗୌରାଙ୍ଗ ପ୍ରସାଦ ମାଝୀ ସୂଚନା ଦେଇଛନ୍ତି । । ବେସରକାରୀ ଜମି ମଧ୍ୟରୁ କେତେକ ମାଲିକ ସେମାନଙ୍କ ଜମିର ଟଙ୍କା ନେଇଥିବା ବେଳେ ଅନ୍ୟ କେତେକ ମାଲିକ ପ୍ରାପ୍ୟ ପାଇନାହାନ୍ତି । ଏହାକୁ ନେଇ ଏବେ ଦ୍ୱନ୍ଦ ସୃଷ୍ଟି ହୋଇଛି । ଯେଉଁ ଜମି ମାଲିକଙ୍କ ଜମି ଅଧିଗ୍ରହଣ ହୋଇପାରିନାହିଁ ସେମାନଙ୍କ ମଧ୍ୟରୁ କେତେକ ସରକାରୀ ପ୍ରଦତ କ୍ଷତିପୂରଣକୁ ମାନୁନଥିବା ଜଣାଯାଇଛି । ଯେହେତୁ ଜମିର ବଜାର ଦର ଅଧିକ ସେହି ତୁଳନାରେ ଜମି ଅଧିଗ୍ରହଣ ରାଶି ନ ମିଳିବା ଯାଏଁ ଜମି ନ ଦେବାକୁ ସେମାନେ ଅଡ଼ି ବସିଛନ୍ତି । ସୂଚନା ଅନୁସାରେ, ମୋଟ ୭୦ ଜଣ ମାଲିକଙ୍କ ଜମି ଅଧିଗ୍ରହଣ କରାଯାଇଛି । ଅନ୍ୟ ୩୯ ଜଣ ମାଲିକ ଅଧିକ ଦର ଚାହୁଁଛନ୍ତି । ସେମାନଙ୍କ ଯୁକ୍ତି ଯେହେତୁ ସରକାର ଏହି ଜମି ପାଇଁ ଏକର ପିଛା ୬ ଲକ୍ଷ ଦେଉଛନ୍ତି, ସେଥିରେ ଜମି ଦେବା ସମ୍ଭବ ନୁହଁ । କାରଣ ସେଠାକାର ଅର୍ଥାତ୍ ଜୟପୁର ଏଲ୍‌ଆର୍‌୍ ଜମିର ବଜାର ଦର ଏବେ ଏକର ୧ କୋଟିରୁ ଅଧିକ । ଯେକୌଣସି ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ବାସିନ୍ଦାଙ୍କ ପଲ୍ଳିସଭା ଜରୁରୀ ହୋଇଥିବା ବେଳେ ଏହି କ୍ଷେତ୍ରରେ ପଲ୍ଲିସଭା ହୋଇନଥିବା ମକାପୁଟ ଗ୍ରାମବାସୀ କହିଛନ୍ତି । କେବଳ ମାଲିକ ମାନଙ୍କୁ କୋରାପୁଟ ଡକାଇ ବୈଠକ କରାଯାଇଥିôବା ମାଲିକ ମାନେ ଜଣାଇଛନ୍ତି । ଏହାକୁ ନେଇ ଏବେ ପ୍ରଶାସନ ହରଡ଼ଘଣାରେ । ତେଣୁ ବାଇପାସ୍ ନିର୍ମାଣରେ ସମସ୍ୟା ସୃଷ୍ଟି ହୋଇଛି । କିନ୍ତୁ ଜାତୀୟ ରାଜପଥ ବିଭାଗ ଅଧିଗ୍ରହଣ ହୋଇଥିବା ଜମିରେ କାମ ଆରମ୍ଭ କରିଛନ୍ତି । ଏହି ୪.୯୪ କିମି ରାସ୍ତା ମଝିରେ ମୋଟ ୩ଟି ବ୍ରିଜ୍ ନିର୍ମାଣ ବ୍ୟବସ୍ଥା ରହିଛି । ସେଥି ମଧ୍ୟରୁ ବାସବୀ ଟାଉନ୍‌ସିପ୍ ଏବଂ ଶ୍ରୀ ଶ୍ରୀ ଅନୁକୂଚନ୍ଦ୍ର ଦେବ ଆଶ୍ରମ ସମ୍ମୁଖରେ ଅଣ୍ଡର ବ୍ରିଜ୍ ନିର୍ମାଣ ହେବାକୁ ରହିଥିବା ବେଳେ ସେଗୁଡ଼ିକ ପାଇଁ କାନ୍ଥ ତିଆରି ହୋଇଛି । ପୁରା ରାସ୍ତା ୪୫ ମିଟର ଓସାର ହେବାକୁ ରହିଥିବା ବେଳେ ଉମୁରୀ ରେଳ ବ୍ରିଜ୍ ନିକଟରେ ଏହା ମିଶିବ । ଜମି ଅଧିଗ୍ରହଣ ଦାୟିତ୍ୱ କୋରାପୁଟ ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ବୁଝୁଥିବା ବେଳେ ଭୂମିରାଶି ପୋର୍ଟାଲ୍‌ରେ ଅବ୍ୟବସ୍ଥା ଯୋଗୁଁ ସମସ୍ୟା ଉପୁଜୁଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande