ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ.)- ତରଙ୍ଗ ସିନେ ପ୍ରଡକସନ୍ସର ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା'କୁ ଜାତୀୟ ପୁରସ୍କାର ମିଳିବ। 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭିନୟ କରିଛନ୍ତି।ସବ୍ୟସାଚୀଙ୍କ ବ୍ୟତୀତ ନାୟିକା ସୁପ୍ରିୟା ଚୌଧୁରୀ ବିକାଶ ଦାସ ଓ ଅଶ୍ରୁମୋଚନ ମହାନ୍ତିଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିଥିଲା।
ଜାତୀୟ ପୁରସ୍କାର ଘୋଷଣା ପରେ ଟିମ୍ ପୁଷ୍କରାକୁ ଶୁଭେଚ୍ଛାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୁଷ୍କରାକୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି - ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ 'ପୁଷ୍କରା' ପୁରସ୍କୃତ ହୋଇଛି। ପୁଷ୍କରାର ନିର୍ମାତା, ନିର୍ଦ୍ଦେଶକ, କଳାକାର ତଥା ଏହା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଓଡ଼ିଆ ଚଳଚ୍ଚିତ୍ର ଜଗତ ଏହିପରି ଆହୁରି ଅନେକ ମୌଳିକ ଓ ଉତମ ଚଳଚ୍ଚିତ୍ର ସହିତ ଆଗକୁ ବଢୁ ବୋଲି କାମନା କରୁଛି।
ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ପୁଷ୍କରା ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ମନ୍ତ୍ରୀ ଲେଖିଛନ୍ତି ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା 'ପୁଷ୍କରା’ ର ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ତଥା ଟିମର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା।ଏହା ଆମ ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର ବିଷୟ। ଏହି ସମ୍ମାନ ଓଡ଼ିଆ ସିନେ ଜଗତକୁ ସମୃଦ୍ଧ କରିବା ସହ ସାମାଜିକ ଓ ସଚେତନତାଧର୍ମୀ ଫିଲ୍ମ ନିର୍ମାଣ କରିବା ପାଇଁ ପ୍ରୋତ୍ସାହିତ କରିବ ।
.......
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା