ବାରିପଦା, ୧ ଅଗଷ୍ଟ (ହି.ସ.)- ବାରିପଦା ସହରରେ ଚୋରି ଓ ଛିନତାଇ ଏକ ନିୟମିତ ଘଟଣା ସାଜିଛି। ଯାହା ପୁଲିସର ମୁଣ୍ଡବିନ୍ଧାର କାରଣ ସାଜିଥିବା ବେଳେ ଚୋର ଗ୍ୟାଙ୍ଗ ପୁଲିସ ପ୍ରଶାସନକୁ ଖୁଲମ ଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି। ତେବେ ବୁଧବାର ବିଳମ୍ବିତ ରାତିରେ ଚୋର ପକ୍ଷରୁ ବାରିପଦା ସଦର ପୁଲିସ ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଚୋରି ଉଦ୍ୟମ ହୋଇଥିଲା। ଯାହାକି ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଚୋରି ସମୟର ସିସି ଟିଭିରେ କଏଦ ଉକ୍ତ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାତି ପ୍ରାୟ ୨ଟା ସମୟରେ ଚୋର ଜଣକ ସେଠାରେ ଥିବା ଏକ ହୋଲସେଲର ଗୋଦାମ ଓ ସଂଲଗ୍ନ ଘରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ତେବେ କୌଣସି ମତେ ଗୋଦାମ ଗୃହର ସମ୍ମୁଖ ଫାଟକ ଖୋଲିପାରିନଥିଲା। ଯାହା ଫଳରେ ଚୋରି ଉଦ୍ୟମ ବିଫଳ ହୋଇଥିଲା। ଏହାପରେ ସମ୍ମୁଖରେ ଥିବା ଏକ ମିନି ଟ୍ରକର କାଚକୁ ପଥରରେ ବାଡେଇ ଭାଙ୍ଗିଥିଲା। ମିନି ଟ୍ରକକୁ ଚୋରି କରିବାକୁ ଉଦ୍ୟମ କରିଥିବା ବେଳେ ସେଥିରେ ମଧ୍ୟ ବିଫଳ ହୋଇଥିଲା। କିନ୍ତୁ, ଟ୍ରକ ମଧ୍ୟରୁ ଗାଡି ସରଞ୍ଜାମ ଆଦି ଚୋରି କରିଥିଲା। ଚୋରି କରିବା ସମୟରେ ଚୋରର ସିସି ଟିଭି ଉପରେ କିନ୍ତୁ ନଜର ପଡିନଥିଲା। ସେ ଚୋରି କରିବାର ସମସ୍ତ ଭିଡ଼ିଓ ସେଥିରେ କଏଦ ହୋଇଥିବା ବେଳେ ସକାଳୁ ଲୋକମାନେ ଜାଣିବାକୁ ପାଇଥିଲେ। ବିଳମ୍ବିତ ରାତିରେ କିଛି ଗାଡି ମୋଟର ଚଳାଚଳ କରୁଥିବା ବେଳେ ଏସଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଜଣେ ଚୋରି ଉଦ୍ୟମ କରିଛି। ପୁଲିସ ପ୍ରଶାସନର ଢିଲା ପେଟ୍ରୋଲିଂ ବ୍ୟବସ୍ଥା ପାଇଁ ଖୁଲମଖୁଲା ଭାବେ ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ସାଧାରଣରେ ମତ ପ୍ରକାଶ ପାଇଛି l
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ