ସମ୍ବଲପୁର, ୨୫ ଅଗଷ୍ଟ (ହି.ସ.)
ଭାରତର ପ୍ରମୁଖ ପ୍ରବନ୍ଧନ ସଂସ୍ଥାନ, ଆଇଆଇଏମ୍ ସମ୍ବଲପୁର, ଜାତୀୟ ସ୍ତରର ଫ୍ଲାଗ୍ସିପ୍ ଟକ୍ ଶୋ “ଆଇଡିଆସ୍ ମ୍ୟାଟର୍ ମୋଷ୍ଟ” କୁ ସଫଳତାର ସହ ଆୟୋଜନ କରିଛି। “ଟେକ୍ନୋଲୋଜି ଏବଂ ଉଦ୍ୟମିତାର ସଙ୍ଗମରେ ବିକଶିତ ଭାରତ @୨୦୪୭ ପ୍ରତି ଯାତ୍ରା” ବିଷୟରେ ଆଧାରିତ ଏହି ଦୁଇଦିନିଆ କାର୍ଯକ୍ରମରେ ନୀତିନିର୍ଦ୍ଦେଶକ, ଶିକ୍ଷାବିତ୍ ଏବଂ ଉଦ୍ୟମୀ ମାନେ ଭାଗ ନେଇଥିଲେ ଏବଂ ଭାରତର ଉନ୍ନୟନ ଯାତ୍ରା ଉପରେ ଆଲୋଚନା କରିଥିଲେ।
ଚିନ୍ତାଧାରାର ପରିବର୍ତ୍ତନଶୀଳ ଶକ୍ତିକୁ ସାମାଜର ମଙ୍ଗଳ ପାଇଁ ପ୍ରଚାର କରିବାର ଲକ୍ଷ୍ୟରେ ଏହି ‘ଟକ୍ ଶୋ’ ଟେକ୍ନୋଲୋଜି ସମ୍ମିଳନ, ଗବେଷଣା-ନିର୍ଭର ଉଦ୍ୟମିତା ଏବଂ ମୂଲ୍ୟାଧାରିତ ନେତୃତ୍ୱର ଗୁରୁତ୍ୱକୁ ଆଲୋକିତ କରିଥିଲା। ଏହା ବ୍ୟତିତ ପ୍ରବନ୍ଧନ ଶିକ୍ଷା, ନୀତିଆଲୋଚନା ଏବଂ ଜାତୀୟ ଉନ୍ନୟନ ଦିଗରେ ଅତିଥିମାନେ ଆଲୋଚନା କରିଥିଲେ। କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ବିଶେଷ ଅତିଥି ଭାବେ ସାହିବା ନିବୃତ୍ତି କୁମାରୀ, ମେୱାର୍ ,ଉଦୟପୁର, ଡ଼. ସୁବ୍ରୋକମଳ ଦତ୍ତ, ଆନ୍ତର୍ଜାତୀୟ ରାଜନୈତିକ, ଅର୍ଥନୈତିକ ଓ ବିଦେଶ ନୀତି ବିଶେଷଜ୍ଞ, ସରିକା ସିଂ ବରିଷ୍ଠ ସାମ୍ବାଦିକା, ବିବିସି, ଏବଂ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ ଉପସ୍ଥିତ ଥିଲେ। କାର୍ଯକ୍ରମକୁ “ଆଇଡିଆସ୍ ମ୍ୟାଟର୍ ମୋଷ୍ଟ”ର ସଂସ୍ଥାପକ ପ୍ରଣବ କୁମାର ଅଧ୍ୟକ୍ଷତା କରିଥିଲେ ।
ସ୍ବାଗତ ଭାଷଣରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ କହିଥିଲେ ଯେ ଆଇଆଇଏମ୍ ଭଳି ପ୍ରବନ୍ଧନ ସଂସ୍ଥାନ ମାନେ ଜାତି ଗଠନରେ ଜ୍ଞାନ ସହଭାଗୀ ଭାବରେ କାର୍ଯ୍ୟ କରିବା ଉଚିତ୍। କାରଣ ବିକିଶିତ ଭାରତ ୨୦୪୭ ର ଲକ୍ଷ୍ୟ ପୂରଣ କରିବା ପାଇଁ ଆଗାମୀ ପିଢ଼ୀର ନେତାମାନଙ୍କୁ ପ୍ରସ୍ତୁତ କରିବାରେ ଅତ୍ୟନ୍ତ ଜରୁରୀ ।‘ଆଇଡିଆସ୍ ମ୍ୟାଟର୍ ମୋଷ୍ଟ’ ର ସଂସ୍ଥାପକ ପ୍ରଣବ କୁମାର କହିଥିଲେ, “ପ୍ରତ୍ୟେକ ଆଇଡିଆ ଗୋଟିଏ ବଡ଼ ପରିବର୍ତ୍ତନ ଆଣିପାରେ। ଏହି ପ୍ଲାଟଫର୍ମ ମାଧ୍ୟମରେ, ଆମେ ବିଭିନ୍ନ ଆଇଡିଆ ଓ ନବାନ୍ବେଷଣକୁ ପରିଚୟ ଏବଂ ପ୍ରୋତ୍ସାହନ କରିବାକୁ ଲକ୍ଷ୍ୟ କରୁଛୁ, ଯାହା ଏକ ଉଜ୍ଜ୍ୱଳ ଓ ବିକଶିତ ଭାରତର ପଥକୁ ପ୍ରସ୍ତୁତ କରିପାରିବ।”
କାର୍ଯ୍ୟକ୍ରମରେ ଶିଳ୍ପଦ୍ୟୋଗୀ, ଉଦ୍ୟମୀ, ଶିକ୍ଷାବିତ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ