କୋରେଇ, ୨୫ଅଗଷ୍ଟ(ହି.ସ.) - ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଦପ୍ତରରୁ ଯାଜପୁର ରୋଡ଼ - ଧାମରା ରେଳପଥ ସଂକ୍ରାନ୍ତୀୟ ସ୍ମାରକପତ୍ର ପ୍ରେରଣ ପାଇଁ ବାର୍ତା ଆସିବା ପରେ ଆଜି ସଂଗ୍ରାମ ସମିତି ପକ୍ଷରୁ ତାଙ୍କ ନିକଟକୁ ସ୍ମାରକପତ୍ର ପ୍ରେରଣ କରାଯାଇଛି। ଏହି ସ୍ମାରକ ପତ୍ରରେ ନେଟୱାର୍କ ପ୍ଲାନିଂ ଗ୍ରୁପ ସୃଷ୍ଟି କରିଥିବା ପ୍ରତିବନ୍ଧକ ସଂପର୍କରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ରାଜ୍ୟ ସରକାର ଏହି ପ୍ରକଳ୍ପ ମଞ୍ଜୁରୀ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିପାରିବେ ସେହି ଦାବି ଉପସ୍ଥାପନ କରାଯାଇଛି ବୋଲି ଯାଜପୁର ରୋଡ଼ - ଧାମରା ରେଳପଥ ସଂଗ୍ରାମ ସମିତିର ଆବାହକ ଶ୍ରୀ ସନ୍ତୋଷ ଦାସ ଜଣାଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପ୍ରସ୍ତାବିତ ପ୍ରକଳ୍ପର ଡିପିଆରର ରେଳବାଇ ବୋର୍ଡ଼ର ମଞ୍ଜୁରୀ ଲାଭ କରିବା ପରେ ପରବର୍ତୀ ପଦକ୍ଷେପ ପାଇଁ ରେଳବାଇ ବୋର୍ଡ଼ ନିର୍ଦ୍ଦେଶାଳୟର ପ୍ରକଳ୍ପ ମୂଲ୍ୟାୟନ କମିଟି ଏହାକୁ ଅନ୍ତଃ-ମନ୍ତ୍ରଣାଳୟସ୍ତରୀୟ ନେଟୱାର୍କ ପ୍ଲାନିଂ ଗ୍ରୁପ୍ ପାଖକୁ ପ୍ରେରଣ କରିଥିଲା। ନେଟୱାର୍କ ପ୍ଲାନିଂ ଗ୍ରୁପ ପ୍ରକଳ୍ପ ମଞ୍ଜୁରୀ ପ୍ରକ୍ରିୟାରେ ଯେଉଁ ଅନ୍ତରାୟ ସୃଷ୍ଟି କରିଛି, ସେ ସଂପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ବି କୌଣସି ପ୍ରତିକାରମୂଳକ ପଦକ୍ଷେପ ନିଆନଯିବା ଉଦ୍ବେଗଜନକ ବୋଲି ଯାଜପୁର ରୋଡ଼ - ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।ପ୍ରକଳ୍ପ ମଞ୍ଜୁରୀ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ନୈତିକ ଚାପ ସୃଷ୍ଟି ନିମନ୍ତେ ଜମି ଅଧିଗ୍ରହଣର ପୂର୍ଣ୍ଣ ବ୍ୟୟଭାର ସମେତ ରେଳପଥ ନିର୍ମାଣର ଆଂଶିକ ବ୍ୟୟ ବହନ କରିବାକୁ ସଂଗ୍ରାମ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି। ଏହା ପୂର୍ବରୁ ବର୍ଷ ବର୍ଷ ଧରି ଖୋର୍ଦ୍ଧା- ବଲାଙ୍ଗିର, ଜୟପୁର – ମାଲକାନଗିରି, ଜୟପୁର - ନବରଙ୍ଗପୁର ଓ ପୁରୀ – କୋଣାର୍କ ରେଳପଥ ପାଇଁ ରାଜ୍ୟ ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି। ୨୦୨୪–୨୫ର ରାଜ୍ୟ ବଜେଟ୍ରେ ଓଡ଼ିଶାରେ ରେଳପଥ ସଂଯୋଗୀକରଣ ପାଇଁ ୬୦୦ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଥିଲା ବେଳେ ୨୦୨୫-୨୬ରେ ତାହାକୁ ୩୦୦ କୋଟି ଟଙ୍କାରୁ ହ୍ରାସ କରାଯାଇଛି। ଓଡ଼ିଶାର ସପ୍ଲିମେଂଟାରୀ ବଜେଟରେ ଅଧିକ ୩୦୦ କୋଟି ଟଙ୍କାର ବ୍ୟୟବରାଦ କରି ତାହା ଯାଜପୁର ରୋଡ଼ - ଧାମରା ରେଳପଥ ପାଇଁ ଉତ୍ସର୍ଗ କରିବାକୁ ସଂଗ୍ରାମ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି। ଗତ ଅଗଷ୍ଟ ୧୬ ତାରିଖରେ ଶାନ୍ତି ମଣ୍ଡପ, ଯାଜପୁରରେ ଅନୁଷ୍ଠିତ ସଂଗ୍ରାମ ସମିତିର ବୈଠକରେ ଯେଉଁ କାର୍ଯ୍ୟକ୍ରମ ନିଆଯାଇଥିଲା, ତାହାର ପ୍ରଥମ ପର୍ଯ୍ୟାୟରେ ପଂଚାୟତ ସ୍ତରରେ ସାଧାରଣରେ ପ୍ରସ୍ତାବ ଗ୍ରହଣ କରି ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ଏବଂ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧରୁ ସର୍ବତ୍ର ଗଣଜାଗରଣ ନିମନ୍ତେ ସାଧାରଣ ସଭାମାନ ଆରମ୍ଭ କରାଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଘୋଷଣା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ