ଗଞ୍ଜାମ ତା୨୫ଅଗଷ୍ଟ(ହିସ)
ବ୍ରହ୍ମପୁର ଗେଟଵଜାର ଏବଂ ଗୋଲାପଲ୍ଲୀ ସାହିରେ ପ୍ରମୁଖ ପରିମଳ କର୍ମଚାରୀ ବସବାସ କରୁଥିବା ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ଗରିମା ଯୋଜନା ଅନ୍ତର୍ଗତ ଆଇନଗତ ସଫେଇ ସୁରକ୍ଷିତ ସଫେଇ ଅଭିଯାନର ସଚେତନତା ରାଲି ଆୟୋଜିତ ହୋଇଯାଇଛି। ଏଥିରେ କୁଲା, କଳସ ଏବଂ ମୁଖାଙ୍କନ ମାଧ୍ୟମରେ ପରିମଳ କର୍ମଚାରୀ ଓ ଅଧିକାରୀମାନେ ଗରିମା ଯୋଜନା ଏବଂ ଟୋଲ୍ ଫ୍ରି ନମ୍ବର 14420ର ପ୍ରଚାର କରିଥିଲେ। ପ୍ରମୁଖ ପରିମଳ କର୍ମୀଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ଏହି ଯୋଜନା କାମ କରୁଛି। ପାଇଖାନା ଟାଙ୍କି ସଫା ପାଇଁ କେବଳ ସ୍ୱୀକୃତିପ୍ରାପ୍ତ ସେସପୁଲ ଗାଡି ଏବଂ ତାଲିମ ପ୍ରାପ୍ତ ପରିମଳ କର୍ମଚାରୀ ନିୟୋଜିତ କରିବା ବାବଦରେ ଲୋକମାନଙ୍କୁ ବୁଝାଇବା ଏହି ଅଭିଯାନର ଲକ୍ଷ୍ୟ। ଏପରିକି ଅଣ ସ୍ୱୀକୃତିପ୍ରାପ୍ତ ସେସପୁଲ ଗାଡି କିମ୍ୱା ଅଣ ତାଲିମ ପ୍ରାପ୍ତ ପରିମଳ କର୍ମଚାରୀଙ୍କୁ ନିୟୋଜିତ କରି ପାଇଖାନା ଟାଙ୍କି ସଫା କରାଇବା ଏକ ଦଣ୍ଡନୀୟ ଅପରାଧ ବୋଲି ମଧ୍ୟ ପ୍ରତିଦିନ ଲୋକମାନଙ୍କୁ ସଚେତନ କରାଯାଉଛି। ପ୍ରଥମ ଥର ଅପରାଧ ପାଇଁ ଦୁଇ ଲକ୍ଷ ଟଙ୍କା ଜରିମାନା ବା ଦୁଇ ବର୍ଷ ଜେଲ୍ ଏବଂ ଅପରାଧ ଦୋହରାଇଲେ ପାଞ୍ଚ ବର୍ଷ ଯାଏଁ ଜେଲ ବା ପାଞ୍ଚ ଲକ୍ଷ ଟଙ୍କା ଜରିମାନା ବିଧାନ ଅଛି ବୋଲି ପ୍ରଚାର କରାଯାଉଛି। କମିଶନର ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କମିଶନର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏବଂ ଆଶୀର୍ବାଦ ପରିଡା, ତଥା ଗରିମାର ଆଞ୍ଚଳିକ ସଂଯୋଜକ ରବୀନ୍ଦ୍ର ନାହାକ ଏହି ସଚେତନତା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସ୍ଥାନୀୟ କର୍ପୋରେଟର ଦୁର୍ଗା ଲାୟକ ଏବଂ ଆରତୀ ତନ୍ତୀ , ପରିମଳ ନିରୀକ୍ଷକ ମନୋଜ ପାଢୀ, ଗୋଷ୍ଠୀ ସଂଯୋଜିକା ସ୍ମିତା ଦାସ, ସୁସ୍ମିତା ପଟ୍ଟନାୟକ, ପରିମଳ ବିଶେଷଜ୍ଞଗଣ, ସ୍ୱଚ୍ଛ ସାଥୀ, ସୁପରଭାଇଜର ଏବଂ ବହୁ ସଂଖ୍ୟାରେ ପରିମଳ କର୍ମଚାରୀ ଯୋଗ ଦେଇଥିଲେ। କେତେକ ସେବାନିବୃତ୍ତ ପରିମଳ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅଗଷ୍ଟ ପନ୍ଦର ତାରିଖରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ ସଚେତନତା ଅଭିଯାନ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ