ସୁବର୍ଣ୍ଣପୁର 25 ଅଗଷ୍ଟ (ହି.ସ.)
ଅଦ୍ୟ ତା ୨୫.୦୮.୨୦୨୫ ରିଖ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଳା ଗ୍ରାମସ୍ଥିତ ଶିବ ମନ୍ଦିର ପରିସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦ୍ଵାରା ସର୍ବପ୍ରଥମେ ବୃକ୍ଷ ରୋପଣ କରାଯାଇଥିଲା। ତାପରେ ସୁବର୍ଣ୍ଣପୁର ଜିଲ୍ଲାର ମେଗା ବା ବ୍ୟାପକ ସଫେଇ ଅଭିଯାନ ଦୁର୍ଜନତୈଳା ଗ୍ରାମ ପଞ୍ଚାୟତର ସରପଞ୍ଚ, ଶ୍ରୀମତି ବିଷ୍ଣୁପ୍ରିୟା କୁମ୍ଭାରଙ୍କ ଦ୍ଵାରା ସମସ୍ତଙ୍କୁ ସ୍ଵଚ୍ଛତାର ଶପଥ ପାଠ କରାଇବା ପରେ ସାପ୍ତାହିକ ବଜାର ପ୍ରଙ୍ଗଣରୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପାରାଜ ସାହୁଙ୍କ ଦ୍ଵାରା ମେଗା ବା ବ୍ୟାପକ ସଫେଇ ଅଭିଯାନ ଶୁଭାରମ୍ଭ କରାଯାଇଥିଲା । ଏହି ମେଗା ବା ବ୍ୟାପକ ସଫେଇ ଅଭିଯାନରେ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପ - ଜିଲ୍ଲାପାଳ, ବୀରମହାରାଜପୁର, ଶ୍ରୀ ସୁରେନ୍ଦ୍ର ମେହେର, ଉପାଧ୍ୟକ୍ଷ, ବୀରମହାରାଜପୁର ପଞ୍ଚାୟତ ସମିତି, ଶ୍ରୀ ନାରାୟଣ ଲୁହା, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ପଲ୍ଲବୀ ରାଣୀ ରାଜ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର, ତହସିଲଦାର, ବୀରମହାରାଜପୁରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ଓ ତହସିଲ ସ୍ତରୀୟ ଅଧିକାରୀମାନେ, ଦୁର୍ଜନତୈଲା ଗ୍ରାମର ଓଡିଶା ଜୀବିକା ମିଶନ ଯୋଜନାର ଏମ୍.ବି. କେ ଓ ସି. ଆର୍. ପି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସ୍ୱଚ୍ଛ ସାଥୀ ଓ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଦୁର୍ଜନତୈଲା ଗ୍ରାମ ପଞ୍ଚାୟତ ବାସି ତଥା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ପ୍ରତି ଶନିବାର ପୂର୍ବାହ୍ନ ୧୦.୦୦ ଘଟିକାରୁ ଅଧ ଘଣ୍ଟା ଅର୍ଥାତ ୧୦.୩୦ ଘଟିକା ପର୍ଯ୍ୟନ୍ତ ନିଜଘର, ନିଜ ଗାଁ ସଫେଇ କରି ସ୍ୱଚ୍ଛ ଓ ସୁସ୍ଥ ରହିବା ପାଇଁ ଆହ୍ବାନ କରିବା ସଙ୍ଗେ ସଙ୍ଗେ ଅନୁରୋଧ କରିଥିଲେ । ତଦୋପରି ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅଫିସ ବା କାର୍ଯ୍ୟାଳୟ, ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ମଧ୍ୟ ପ୍ରତି ମାସର ପ୍ରଥମ ଶନିବାର ଦିବା ୧୦.୦୦ ଘଟିକା ରୁ ୧୦.୩୦ ଘଟିକା ମଧ୍ୟରେ ନିଜ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟ ପରିସର,ବିଦ୍ୟାଳୟ ଓ ବିଦ୍ୟାଳୟ ପରିସର, ଆଙ୍ଗନ୍ ବାଡ଼ି କେନ୍ଦ୍ର ଓ ପରିସର କୁ ସଫେଇ କରିବା ପାଇଁ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅନୁରୋଧ କରିଥିଲେ । ଅନୁରୂପ ଭାବେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ଗ୍ରାମ ପଞ୍ଚାୟତ ମାନଙ୍କରେ ସଂପୃକ୍ତ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ଏହି ମେଗା ବା ବ୍ୟାପକ ସଫେଇ ଅଭିଯାନ ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ