ସମ୍ବଲପୁର, ୨୫ ଅଗଷ୍ଟ (ହି.ସ.) - ଧମା ସ୍ଥିତ ମାଁ ଝାଡେଶ୍ୱରୀ ମହାବିଦ୍ୟାଳୟରେ ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତୀ ଉପରେ ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ସଭାର ମୁଖ୍ୟ୍ୱକ୍ତା ତଥା ବରଗଡ଼ ସତଲମା ମହାବିଦ୍ୟାଳୟ ର ଅଧ୍ୟାପକ ଲୋକବନ୍ଧୁ ପ୍ରଧାନ କହିଥିଲେ ଯେ, ମେହେର ସାହିତ୍ୟ ଆଦର୍ଶବାଦ,ମାନବବାଦ ସହ ସକାରାତ୍ମକ ଉଚ୍ଚାଙ୍ଗ ଚିନ୍ତାଧାରାର ଭଣ୍ଡାର। ଅଧ୍ୟାପକ ବଳଦେବ ମହାକୁର ଗଙ୍ଗାଧର ପ୍ରଣୟବଲ୍ଲରୀ କାବ୍ୟକୁ ଭିତିକରି କବିଙ୍କ ବଳିଷ୍ଠ କାବ୍ୟ ପ୍ରତିଭାର ଅନେକ ଦୃଷ୍ଟାନ୍ତ ଉଦ୍ଧାର କରି ଆଲୋଚନା କରିଥିଲେ। ଅଧ୍ୟାପକ ରବିନ୍ଦ୍ର ନାରାୟଣ ଠାକୁର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଂଯୋଜନା ଓ ଅଧ୍ୟାପକ ପଣ୍ଡିତ ବ୍ୟାସଦେବ ପଣ୍ଡା ବେଦମନ୍ତ୍ର ପାଠ ଏବଂ ଅଧ୍ୟାପକ ଡ଼. ସିଦ୍ଧାର୍ଥ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ସୁଦୀପ୍ତା ଦାଶଙ୍କ ସଂଯୋଜନାରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଦିଲୀପ କୁମାର ମହାପାତ୍ର, ପରମାନନ୍ଦ ସିଟ, ରବିନ୍ଦ୍ର ପୃଷ୍ଟି,ହରିବୋଲ ସେଠ,ତ୍ରିବିକ୍ରମ ମିର୍ଦ୍ଧା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଯୁକ୍ତ ତିନି ସ୍ରୋତର ଅଧ୍ୟକ୍ଷ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ମିନତି ଦାଶଙ୍କ ସଂଯୋଜନାରେ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ