ବାରିପଦା, ୨୬ ଅଗଷ୍ଟ (ହି.ସ.)- ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମପଞ୍ଚାୟତର ଦୁଇଟି ଗ୍ରାମ ବୁଢ଼ାବଳଙ୍ଗ ନଦୀରେ ବିଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଧୀରେ ଧୀରେ ଅତଡା ଖାଇ ଚାଲିଥିବା ବେଳେ ଚଣାବାଡିଆ ଓ ଅଖରଶିଳା ଗାଁ ପାଇଁ ବିପଦ ସାଜିଛି। ଯାହାକୁ ନେଇ ବାରମ୍ବାର ଅଭିଯୋଗ ଜଣାଇଲେ ସୁଦ୍ଧା ଜିଲ୍ଲା ପ୍ରଶାସନର ନିଘା ହେଉନି। ଉକ୍ତ ଗାଁରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ନଦୀ କୂଳରେ ଗାଁ ଥିବାରୁ ବନ୍ୟାକୁ ଭୟ ରହିଛି। ତେବେ ବାରମ୍ବାର ଦାବି ସତ୍ତ୍ୱେ ବୁଢ଼ାବଳଙ୍ଗ ନଦୀରେ ପଥର ପ୍ୟାଚିଂ କାମ ନହେବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
୨୦୧୩ ମସିହାର ଫାଇଲିନ ସମୟରୁ ନଦୀର ଗତିପଥ ବଦଳି ଅଖରଶିଳା ଓ ଚଣାବାଡିଆ ଗ୍ରାମ ଆଡକୁ ମୁହାଁଇଛି। ପ୍ରତିଥର କୂଳ ଖାଇ ଖାଇ ଏବେ ଗ୍ରାମକୁ ଦୂରତା ଆଉ ପ୍ରାୟ ୧୦୦ ମିଟର ରହିଛି। ୧୫ ଏକରରୁ ଉର୍ଦ୍ଧ୍ୱ ଚାଷଜମି ନଦୀଗର୍ଭରେ ଲୀନ ହୋଇସାରିଲାଣି l ଗ୍ରାମରୁ ନଦୀକୁ ଯିବାର ରାସ୍ତାଟି ମାଟି ଅତଡ଼ା ଧସି ନଷ୍ଟ ହୋଇଛି। ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଜନଅଭିଯୋଗ ଶୁଣାଣିରେ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏହାକୁ ନେଇ ଗ୍ରାମବାସୀ ମାନେ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଛନ୍ତି। ଏହାସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସାଂସଦ, ବାଙ୍ଗିରିପୋଷି ବିଧାୟିକାଙ୍କୁ ମଧ୍ୟ ନକଲ କପି ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଏହାର ଯାଞ୍ଚ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ