ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ଭଦ୍ରକ ପୁରୁଣାବଜାର ମଦିନା ମଇଦାନରେ ସନ୍ଧ୍ୟା ୭ ଘଟିକା ସମୟରେ ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ତଥା ଜସ୍ନ-ଏ-ଇଦ ମିଲାଦୁନ ନବୀ ପାଳନ ଲାଗି ଭଦ୍ରକ ମୁସଲିମ ଜମାତର ଏକ ପ୍ରସ୍ତୁତି ବୈଠକ ଭଦ୍ରକ ମୁସଲିମ ଜମାତର ଉପସଭାପତି ମହମ୍ମଦ ଜକାଉଲ୍ଲାଙ୍କ ସଭାପତିତ୍ୱରେ ଓ ସାଧାରଣ ସଂପାଦକ ହାଜୀ ଶେଖ ଏନାମ ମହମ୍ମଦଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ଅସ୍ଥାୟୀ କମିଟି ତଥା ସିରତ କମିଟି ଗଠନ କରାଗଲା। ଏହି ସିରତ କମିଟିରେ ସଭାପତି ଭାବେ ହାଜୀ ଅବଦୁଲ ମୁକିତ ଖାନ, ସଂପାଦକ ଭାବେ ଇଂ. ହବିବୁଲ୍ଲା ଖାନ, କୋଷାଧ୍ୟକ୍ଷ ଭାବେ ମିର୍ଜା ଏକ୍ରାମ ବେଗ ଓ ଶେଖ ଅବୁକଲାମ ପ୍ରମୁଖ ଏହି ପରି ଭାବେ ୩୩ ଜଣ ସିରତ କମିଟିରେ କର୍ମକର୍ତା ଭାବେ ରହିଛନ୍ତି ଏବଂ ପ୍ରତ୍ୟେକ ବସ୍ତିର ଜୁଲୁସ/କାଫେଲାର ସରଦାରମାନେ ଉକ୍ତ କମିଟିରେ ସଭ୍ୟଭାବେ ରହିଛନ୍ତି। ଅଗଷ୍ଟ ୨୪ ତାରିଖ ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନର ପ୍ରମାଣ ପାଇଲା ପରେ ଅଗଷ୍ଟ ୨୫ ତାରିଖ ସୋମବାର ଚନ୍ଦ୍ରର ପ୍ରଥମ ଦିନଠୁ ୧୨ ଦିନ ପର୍ଯ୍ୟନ୍ତ ପର୍ବ ପାଳନ ହେବ। ଭଦ୍ରକ ଭାଇଚାରା ସହରକୁ ଶାନ୍ତିଶୃଙ୍ଖଳା ସହ ବଜାୟ ରଖି ହଜରତ ମହମ୍ମଦଙ୍କ ପର୍ବ ପାଳନ ପାଇଁ ଉପସ୍ଥିତ ସମସ୍ତ ସଭ୍ୟ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଚଳିତ ବର୍ଷ ପ୍ରଫେଟ ମହମ୍ମଦଙ୍କ ୧୫୦୦ ତମ ବର୍ଷ ଜୟନ୍ତୀ ମହାଆଡ଼ମ୍ବରରେ ପାଳନ କରାଯିବ। ସେପ୍ଟେମ୍ବର ୫ ତାରିଖ ଶୁକ୍ରବାରରେ ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମ ଉତ୍ସବ ତଥା ଜସ୍ନ-ଏ-ଇଦ ମିଲାଦୁନ ନବୀ ପର୍ବ ଇସଲାମ ଧର୍ମର ସରିୟତ ରୀତିନୀତି ଅନୁଯାୟୀ ପାଳନ କରାଯିବ। ଏହି ପର୍ବରେ ଅପରାହ୍ନ ୪ ଘଟିକା ସମୟରେ ଭଦ୍ରକର ସମସ୍ତ ବସ୍ତିରୁ ଜୁଲୁସ (ମେଢ଼) ଓ କାଫେଲା ପୁରୁଣାବଜାର ସ୍ଥିତ ଚୌଖଣ୍ଡିରୁ ଆରମ୍ଭ ହୋଇ ବାଙ୍କା ଛକ, ପୁରୁଣାବଜାର ଛକ, ଲାହାପଟ୍ଟି, ନଙ୍ଗାମହଲ୍ଲା, କଚେରୀ ବଜାର ଛକ, ନୂଆ ବଜାର, ଗୋଶାଳା ଛକ, ମୁଲ୍ଲାସାହି, ଶଙ୍କରପୁର, ହେଲାସାହି ଛକ ହୋଇ ମଦିନା ମଇଦାନରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ଏହି ଜୁଲୁସ / କାଫେଲା ମେଢ଼ରେ ଡିଜେ ସାଉଣ୍ଡ ବାଜିବ ନାହିଁ ଓ ହଜରତ ମହମ୍ମଦଙ୍କ ନୀତିବାଣୀ ଉପରେ ନାତ୍ ସରିଫ ପଢ଼ି ପଢ଼ି ଭଦ୍ରକ ସହର ପରିକ୍ରମା କରିବେ ଏବଂ ରାତ୍ରି ୯ ଘଟିକା ସମୟରେ ମଦିନା ମୈଦାନଠାରେ ଆମ ରାଜ୍ୟ ଓ ରାଜ୍ୟ ବାହାରୁ ପଣ୍ଡିତ (ମୌଲାନା) ଓ କବି (ସାଏର)ମାନେ ଯୋଗଦାନ କରି ଏକ ଧର୍ମସଭାର ଆୟୋଜନ ହେବ ବୋଲି ଭଦ୍ରକ ମୁସଲିମ ଜମାତର ମିଡିଆ ସେଲ ଶେଖ ଅନୱର (ବାବୁ) ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ