ବଲାଙ୍ଗିର, 26 ଅଗଷ୍ଟ (ହି.ସ.)
ସ୍ଥାନୀୟ ଲାଲଟିକ୍ରା ସ୍ଥିତ ବ୍ରହ୍ମା କୁମାରୀଜ୍ ମୁଖ୍ୟାଳୟ ବିଶ୍ୱ କଲ୍ୟାଣ ଭବନ ଠାରେ ଦିବଂଗତ ଦାଦୀ ପ୍ରକାଶମଣିଜୀଙ୍କ ୧୮ତମ ପୂଣ୍ୟତିଥି ଉପଲକ୍ଷେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମା କୁମାରୀ ଭାଇଭଉଣୀ ତଥା ତାଙ୍କର ସମ୍ବନ୍ଧ ସମ୍ପର୍କୀୟମାନେ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପକା ଓ ଖୁସିର ଏକ ଚଳଚଞ୍ଚଳ ବାତାବରଣ ମଧ୍ୟରେ ମହତ ରକ୍ତଦାନ କାର୍ଯ୍ୟକ୍ରମକୁ ସମ୍ପନ୍ନ କରିଛନ୍ତି । ସହର ଓ ଗ୍ରାମାଞ୍ଚଳରୁ ଜିଲ୍ଲା ରକ୍ତ ଭଣ୍ଡାର ପାଇଁ ସର୍ବମୋଟ ୪୭ ୟୁନିଟ ଉକ୍ତ ସଂଗୃହିତ ହୋଇଅଛି । ସ୍ୱଚ୍ଛ, ପବିତ୍ର ଓ ଆଧ୍ୟାତ୍ମିକ ପରିବେଶ ରେ ମସ୍ତକ ରେ ତିଳକ ଧାରଣ ପୂର୍ବକ ସ୍ୱତଃ ପ୍ରବୃତ୍ତ ହୋଇ ଭାଇ ଭଉଣୀମାନେ ଏହି ମହତ କାର୍ଯ୍ୟକ୍ରମକୁ ଉତ୍ସବାୟିତ କରିଛନ୍ତି । ବଲାଙ୍ଗିର ସେବାକେନ୍ଦ୍ର ର ମୁଖ୍ୟ ସଂଚାଳିକା ବ୍ର.କୁ. ଉଷା ଭଉଣି ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ରେ ସହଯୋଗ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ ଓ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଡାକ୍ତରଖାନାରୁ ଡା. ଅଶୋକ କୁମାର ମିଶ୍ର, ଚିକିତ୍ସା ଅଧିକାରୀ ଏବଂ ତାଙ୍କର ସହକାରୀ ବୃନ୍ଦ ଯଥା ଜ୍ୟୋତିର୍ମୟୀ ନାଏକ, ଶେଖ୍ ଅବଦୁଲ ଅସରଫ, ସ୍ୱାଗତିକା ରାଉଳ, ଶ୍ରୀକାନ୍ତ ନାଏକ ଓ ଦେବେନ୍ଦ୍ର ନନ୍ଦ ପ୍ରମୁଖ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ର.କୁ. ଈଶ୍ୱର, ଅଭିମନ୍ୟୁ, ଜୟଗୋପାଳ, ଶଶୀ, ମନୋଜ, ଗୋକୁଳ, ଚୈତନ୍ୟ, ଆରତୀ, ସୁଲୋଚନା, କୁନି, ଲିଲି, ମମତା, କୁସୁମ, ସହଦେବ ପ୍ରମୁଖ ପ୍ରାୟ ୬୦ଜଣ ଭାଇ ଭଉଣୀ ସହଯୋଗର ହାତ ବଢାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ