ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ବର୍ଷ ପରେ ବର୍ଷ ଗଢିଚାଲିଛି। ଭଦ୍ରକ ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପୀଠ ରାସ୍ତାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନାହିଁ। ରାସ୍ତା ନିର୍ମାଣ ପାଇଁ ୪ ବର୍ଷରୁ ଉର୍ଦ୍ଧ୍ୱ ଧରି ଆନ୍ଦୋଳନ ଚାଲିଛି। ଅପରପକ୍ଷରେ ପ୍ରଶାସନ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛି। ହେଲେ ଆଜିଯାଏଁ ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। ପୂର୍ତ ବିଭାଗର ଉଦାସୀନତା ଯୋଗଁ ଏବେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ବେଳେବେଳେ ପୂର୍ତ ବିଭାଗ ଧର୍ମକୁ ଆଖି ଠାର ଭଳି ଡଷ୍ଟ ଢାଳି ରାସ୍ତାର ଅବସ୍ଥାକୁ ଅଧିକ ଶୋଚନୀୟ କରିପକାଉଛି। ଫଳରେ ଲୋକମାନେ ବର୍ଷାଦିନେ ଯାତାୟତରେ ଅଧିକ କଷ୍ଟ ପାଉଛନ୍ତି। ଟ୍ରାଫିକ୍ ସମସ୍ୟା ଗୁରୁତର ରୂପ ନେଉଛି। ଆସନ୍ତାକାଲି ଠାରୁ ବୁଧବାର ଭଦ୍ରକରେ ପ୍ରସିଦ୍ଧ ବୁଢାଗଣେଶ, ଟୋକା ଗଣେଶ ପୂଜା ଓ ଆଗକୁ ମହମ୍ମଦଙ୍କ ଜନ୍ମଦିବସ ପାଳିତ ହେବ। ରାସ୍ତାର ଏଭଳି ପରିସ୍ଥିତିକୁ ନେଇ ଆଜି ପୁଣିଥରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ ମୁହଁ ଖୋଲିଛନ୍ତି। କେତେକ କାଉନସିଲର ଓ ସ୍ଥାନୀୟ ଯୁବନେତାମାନଙ୍କୁ ନେଇ ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ସାକ୍ଷାତ୍ କରି ଅସ୍ଥାୟୀ ଭାବେ ରାସ୍ତାଟିର ଶୀଘ୍ର ମରାମତି ପାଇଁ ଦାବି କରିଛନ୍ତି। ପରବର୍ତୀ ସମୟରେ ଏହି ରାସ୍ତାର ସ୍ଥାୟୀ ନିର୍ମାଣ କାର୍ଯ୍ୟ ପାଇଁ ଦାବି କରିଛନ୍ତି। ରାସ୍ତା ନିର୍ମାଣ ସଂପର୍କରେ ପୌରାଧ୍ୟକ୍ଷା ଗତ କିଛିଦିନ ତଳେ ଭଦ୍ରକ ଗସ୍ତରେ ଆସିଥିବା ରାଜ୍ୟପାଳଙ୍କ ସମୀକ୍ଷା ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପୂର୍ବରୁ ଦୁଇଥର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାସ୍ତାର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଦାବି କରିଥିଲେ। ଜିଲାପାଳ ପୂର୍ତ ବିଭାଗକୁ ରାସ୍ତାର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜିଯାଏ ସୁଫଳ ମିଳିନାହିଁ। ଆସନ୍ତା ଦିନରେ ରାସ୍ତାର ଶୀଘ୍ର ମରାମତି କାର୍ଯ୍ୟ ନହେଲେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ପୌରାଧ୍ୟକ୍ଷାଙ୍କ ସହ କାଉନ୍ସିଲର ସହିଦ ଖାନ, ନାସର ଅଲ୍ଲୀ, ଜୁଲଫିକର ଅଲ୍ଲୀ, ଜକାଉଲ୍ଲା ଖାନ୍, ଅଂଜନ ଜେନା, ରୁକସାନା ଖାତୁନ, ରେସମା ପରୱିନ, ସେକ୍ ଜାହିରୁଦ୍ଦିନ୍ ଓ ଯୁବନେତା ନାସିରୁଦ୍ଦିନ୍ ଖାନ୍ ପ୍ରମୁଖ ଦାବିପତ୍ର ପ୍ରଦାନ କାଳରେ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ