ସମ୍ବଲପୁର, ୨୬ ଅଗଷ୍ଟ (ହି.ସ.) - ପଶ୍ଚିମ ଓଡ଼ିଶାର ରାଜଧାନୀ କୁହାଯାଉଥିବା ସମ୍ବଲପୁର ସହରର ସର୍ବାଙ୍ଗିନ ଉନ୍ନତି ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ବିଭିନ୍ନ ସଭା ସମିତିରେ ନେତା ମନ୍ତ୍ରୀମାନେ ବଡ଼ବଡ଼ ଭାଷଣ ବାଜି ମାରୁଛନ୍ତି । ମାତ୍ର ସହରର ଗୋଟିଏ ପରେ ଗୋଟିଏ ଅନେକ ଆଭ୍ୟନ୍ତରୀଣ ସମସ୍ୟା ରାଜ୍ୟ ସରକାରଙ୍କୁ ଅପବାଦ ଘେରକୁ ଟାଣି ନେଉଥିବା କୁହାଯାଉଛି । ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିବା ପରେ ଏବେ ସହରର ପ୍ରମୁଖ ରାସ୍ତାଗୁଡିକରେ ମରଣଯନ୍ତା ସଦୃଶ୍ୟ ଖାଲଖମା ସଂପ୍ରତି ଜିଲ୍ଲା ନଗର ଉନ୍ନୟନ ଓ ପୂର୍ତ ବିଭାଗର କାର୍ଯ୍ୟଦକ୍ଷତାକୁ ସମ୍ପୂର୍ଣ୍ଣ ଉଲଗ୍ନ କରାଇଛି । କାର୍ଯ୍ୟାଳୟକୁ ନୀୟମିତ ଯଦିଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଆସୁଛନ୍ତି, ମାତ୍ର ନିଜର ସ୍ୱାର୍ଥ ଅନ୍ତର୍ନିହିତ ଫାଇଲକୁ ଛାଡ଼ିଦେଲେ ସହରର ପ୍ରମୁଖ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଫାର୍ମ ରୋଡରୁ ଚେରୁଆପଡା, ସାକ୍ଷୀପଡାରୁ ଭିଏସ୍ଏସ୍ ନଗର, ଚର୍ଚ୍ଚ ଛକ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅଇଁଠାପାଲି ଛକ ଠାରୁ ପ୍ରତ୍ୟେକ ସଂଯୋଗୀକରଣ ରାସ୍ତା ଗୁଡିକ ବଡ଼ବଡ଼ ଖାଲଖମାରେ ଭର୍ତି ହୋଇଥିବା ବେଳେ ବର୍ଷା ସମୟରେ ଉକ୍ତ ଖାଲରେ ପାଣି ଜମି ରହି ସହସ୍ରାଧିକ ହ୍ରଦର ସହର ଭାବେ ସମ୍ବଲପୁରର ଏକ ନୁଆ ପରିଚୟ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଏପରିକି ଚର୍ଚ୍ଚ ଛକ ଠାରୁ ବୁଢ଼ାରଜା ଫ୍ଲାଏ ଓଭରବ୍ରିଜ ୧୯୯୭ ଠାରୁ ସହରବାସୀଙ୍କ ପାଇଁ ପ୍ରମୁଖ ଗମନାଗମନର ମାଧ୍ୟମ ସାଜିଥିବା ବେଳେ ତାହାବି ଏବେ ଖାଲଖମାରେ ଭର୍ତି ହୋଇଥିବା ଅଭିଯୋଗ ହେଉଛି। ସମ୍ବଲପୁର ସହରର ବିଭିନ୍ନ ରାସ୍ତାଘାଟ ଖାଲଖମାରେ ଭର୍ତି ହୋଇ ମରଣଯନ୍ତାର ଦାୟିତ୍ୱ ତୁଲାଉଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀଙ୍କ ସ୍ଥାଣୁତା ନେଇ ତୀବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳୁଛି । ଏଦିଗରେ ରାଜ୍ୟ ନଗର ଉନ୍ନୟନ ଓ ପୁର୍ତ ବିଭାଗ ମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସି ସହରର ସମସ୍ତ ରାସ୍ତାଘାଟର ପ୍ରକୃତ ଅବସ୍ଥା ଅନୁଧ୍ୟାନ କରି ଏହାର ସମୀକ୍ଷା କରନ୍ତୁ ବୋଲି ସହରର ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ