ପୁରୀ, ୨୬ ଅଗଷ୍ଟ (ହି.ସ.)- ଭାଦ୍ରବ ଶୁକ୍ଳପକ୍ଷ ତୃତୀୟା ମଙ୍ଗଳବାର ଦିନ ଶ୍ରୀକ୍ଷେତ୍ର ସମେତ ପୁରୀ ଜିଲ୍ଲାର ଶାସନ ଗ୍ରାମର ବ୍ରାହ୍ମଣ ପରିବାର ସଧବା ନାରୀମାନେ ଘରେ ଘରେ ନିଷ୍ଠା, ଭକ୍ତି ଓ ଶ୍ରଦ୍ଧାର ସହ ଉପବାସ କରି ବାଲିତୃତୀୟା ବ୍ରତ ପାଳନ କରିଛନ୍ତି। ଶ୍ରୀକ୍ଷେତ୍ରର ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର, ଶ୍ବେତଗଙ୍ଗା, ମାର୍କଣ୍ଡ ପୁଷ୍କରିଣୀ ସମେତ ଶାସନ ଗ୍ରାମର ବିଭିନ୍ନ ନଦୀ ପୁଷ୍କରିଣୀରେ ସଧବା ନାରୀ ମାନେ ଏକତ୍ରିତ ହୋଇ ସ୍ନାନକରି ବାଲିରେ ଶିବ ଲିଙ୍ଗ ଗଢି ପୂଜାର୍ଚ୍ଚନା ସହ ହୁଳୁହୁଳି ପକାଇ ବାଲିତୃତୀୟା ବ୍ରତ ପାଳନ କରିଛନ୍ତି । ପରେ ନୂଆ ଲୁଗା ପରିଧାନ କରି ଶଙ୍ଖା, ସିନ୍ଦୁର ଅଳତା ଲଗାଇ ସେଉ, ଅଙ୍ଗୁର, କଦଳୀ, ଆତ, ପିଜୁଳି, କମଳା ଆଦି ଫଳ ସମେତ ଖଇ କୋରା ଭୋଗ ପୂଜା କରି ବାଲିତୃତୀୟା ବ୍ରତ ବହି ପଢି ଶିବଙ୍କୁ ପ୍ରାର୍ଥନା କରିଥିଲେ ।
ହିନ୍ଦୁ ପରମ୍ପରାରେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀ ଲାଗିରହିଥାଏ । ମାସ, ବାର, ତିଥି, ନକ୍ଷତ୍ର ଦେବା ଦେବୀଙ୍କୁ ଭିତ୍ତିକରି ଅସୁମାରୀ ପର୍ବ । ଆମ ରାଜ୍ୟ ଓଡ଼ିଶା ତନ୍ମଧ୍ୟରୁ ଏକ ନିଆରା ପର୍ବ ବହୁଳ ରାଜ୍ୟ । ସେହିଭଳି ଗୋଟିଏ ପର୍ବ ବାଲି ତୃତୀୟା ଯାହା ତିଜବ୍ରତ ଏବଂ ହରିତାଳିକା ନାମରେ ମଧ୍ୟ ଜଣା । ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟାରେ ପଡ଼ିଥାଏ ଏହି ପର୍ବ । ଏହା ହିନ୍ଦୁ ନାରୀ ସମାଜର ଏକ ପ୍ରଧାନ ପର୍ବ । ସଧବା ନାରୀଗଣ ସ୍ୱାମୀର ମଙ୍ଗଳ କାମନା କରି ଓ କୁମାରୀ ଝିଅମାନେ ଉତ୍ତମ ବର ପ୍ରାପ୍ତି ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ବାଲିତୃତୀୟା ବ୍ରତ ପାଳନ ପଛରେ ଏକ ସୁନ୍ଦର ପୌରାଣିକ କିମ୍ବଦନ୍ତି ରହିଛି । ମାଆ ପାର୍ବତୀଙ୍କ ବିବାହ ବୟସ ଉପସ୍ଥିତ । ପିତା ନଗାଧିରାଜ ହିମାଳୟ ଝିଅର ବିବାହ ଶ୍ରୀ ବିଷ୍ଣୁଙ୍କ ସହ ସ୍ଥିରକଲେ । କିନ୍ତୁ ମା' ପାର୍ବତୀ ମନେ ମନେ ଶିବଙ୍କୁ ବରଣ କରି ସାରିଥାନ୍ତି । ପିତାଙ୍କ ପ୍ରସ୍ତାବ, ବିଷ୍ଣୁଙ୍କ ସହ ବିବାହକୁ ସେ ଗ୍ରହଣ କରି ପାରିଲେ ନାହିଁ । ତାଙ୍କର ଏକା ଜିଦ ମୋତେ କୋଟିଏ ଜନ୍ମ ଲାଗୁ ପଛେ ମୁଁ ଶିବଙ୍କୁ ହିଁ ବରିବି ନହେଲେ ଚିର କୁମାରୀ ରହିବି । କିନ୍ତୁ ମା' ପାର୍ବତୀ ତାଙ୍କର ଏ ମନୋଭାବ ପିତାଙ୍କ ଆଗରେ ପ୍ରକାଶ କରିପାରୁ ନଥାନ୍ତି । ବିବାହ ଦିନ ସ୍ଥିର ହେଲା । ସେଦିନ ଉମା ତାଙ୍କ ସଖୀ ମାନଙ୍କୁ ଧରି ଘରଛାଡ଼ି ଜଙ୍ଗଲକୁ ପଳାୟନ କଲେ । ଯାଉ ଯାଉ ବାଟରେ ଏକ ନଦୀ ପଡ଼ିଲା । ଉମା ସେହି ନଦୀ ବାଲିରେ ଶିବଲିଙ୍ଗଟିଏ ଗଢ଼ି ପୂଜା କଲେ । ତାଙ୍କ କଠୋର ବ୍ରତରେ ଶିବଙ୍କ ମତି ଟଳି ଗଲା । ଶିବ ଆସି ପାର୍ବତୀଙ୍କ ସମ୍ମୁଖରେ ପ୍ରକଟ ହୋଇ ତାଙ୍କୁ ସ୍ୱୀକୃତି ଦେବାରୁ ପାର୍ବତୀ ତାଙ୍କ ଗଳାରେ ବରଣ ମାଳ ଲମ୍ବାଇ ଦେଲେ । ସେ ଦିନଟି ଥିଲା ଭାଦ୍ରବ ଶୁକ୍ଳ ତୃତୀୟା । ପାର୍ବତୀ ସେଦିନ ବାଲୁକା ନିର୍ମିତ ଶିବଲିଙ୍ଗ ପୂଜନ କରି ଶିବଙ୍କୁ ପତିରୂପେ ପାଇଥିବାରୁ ଝିଅମାନେ ମନ ମୁତାବକ ବର ପାଇବା ପାଇଁ ଏହି ବାଲିତୃତୀୟା ବ୍ରତ ପାଳନ କରିଥାନ୍ତି । ପାର୍ବତୀ ଏହି ବ୍ରତର ପ୍ରଚଳନ କରି ଥିବାରୁ ଏହା ଗୌରୀବ୍ରତ ନାମରେ ମଧ୍ୟ ପ୍ରସିଦ୍ଧ । ଶଙ୍କରଙ୍କ ସହ ମାତା ପାର୍ବତୀ, ଗଣେଶଙ୍କୁ ମଧ୍ୟ ପୂଜା କରିବା ଵିଧି ଏଥିରେ ରହିଛି ।
ପ୍ରକାଶ ଥାଉକି, ତ୍ରେତୟା ଯୁଗରେ ଜାନକୀ ଓ ଦ୍ୱାପର ଯୁଗରେ ଗୋପୀମାନେ ମାଆ ଗୌରୀଙ୍କୁ ପୂଜାକରି ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ପତି ଭାବେ ଲାଭ କରିବାକୁ ପ୍ରାର୍ଥନା କରିଥିଲେ ।
ବ୍ରତରେ ନାରୀମାନେ ନିର୍ଜଳା ଉପବାସ କରିଥାନ୍ତିl ପ୍ରଭାତରେ ସ୍ନାନ ମାର୍ଜନ ସାରି ଦିନସାରା ଉପାସ ରହି ପୁଣି ସନ୍ଧ୍ୟାସମୟରେ ନଦୀରେ ଯାଇ ସ୍ନାନ କରନ୍ତି, ନଦୀ ତୁଠରେ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା ପରେ କିଛି ବାଲୁକା ଆଣି ଘରେ ଏକା କିମ୍ବା ସମବେତ ଭାବେ ଲିଙ୍ଗ ନିର୍ମାଣ କରି ପୂଜା କରିଥାନ୍ତି । ଲିଙ୍ଗଙ୍କୁ ଯଥାରୀତି ନୈବେଦ୍ୟ ଅର୍ପଣ କରି ବାଲିତୃତୀୟା ବ୍ରତମାହାତ୍ମ୍ୟ ପଠନ, ଶ୍ରବଣ କରାଯାଏ । ନାରୀ ସମାଜରେ ବାଲି ତୃତୀୟା ଏକ ଶ୍ରେଷ୍ଠ ବ୍ରତ ରୂପେ ବିବେଚିତ ହୁଏ । ନିଷ୍ଠାର ସହିତ ଏହି ବ୍ରତ ପାଳନ କଲେ ନାରୀ ଜନ୍ମ ସଫଳ ହୁଏ ଓ ମୃତ୍ୟୁ ଉପରାନ୍ତେ ଶିବଲୋକ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୂଜା ଶେଷରେ ଓଷା ମାହାତ୍ମ୍ୟ ପାଠ କରି ଶିବଙ୍କ ପାଖରେ ମନୋସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ