ପୁରୀ, ୨୬ ଅଗଷ୍ଟ (ହି.ସ.)- ମଙ୍ଗଳ ବାର ଶ୍ରୀମନ୍ଦିରରେ ଅନ୍ଧହାତୀ ଓ ଲୀଳା ପ୍ରସ୍ତାବ ନୀତି ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ତୃତୀୟା ତିଥି ଅବସରରେ ଏହି ନୀତି ପାଳିତ ହୋଇଥାଏ । ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିବା ସ୍ମୃତିରେ ଏହା ପାଳିତ ହେଉଛି । ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିଥିଲେ । ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା । ପରେ ବିମାନବଡୁ ସେବକମାନେ ଠାକୁରଙ୍କୁ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖକୁ ନେଇଥିଲେ । ସେଠାରେ ପଡିଥିବା ଖଟ ଉପରେ ଠାକୁର ପାଲିଙ୍କି ସହିତ ବିଜେ କରାଇଥିଲେ । ସେଠାରେ ଅନ୍ଧ ମନ୍ଦିର ହସ୍ତୀ ଲୀଳା ପ୍ରସ୍ତାବ ଆଗତ ହୋଇଥିଲା । ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରାଯାଇଥିଲା । ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ଅନ୍ଧକୁ ଚକ୍ଷୁଦାନ ଲୀଳା ନୀତି ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବିଜୟ