ଭୁବନେଶ୍ୱର,୨୬ ଅଗଷ୍ଟ (ହି.ସ.)- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଜାତିଗତ ତଥ୍ୟ ଜାଲିଆତି ଅଭିଯୋଗ ଆଣି ତାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ଅଭିଷେକ୍ ମହାନନ୍ଦ, ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ବିଭୁତି ମହାପାତ୍ର ବିଭିନ୍ନ ତଥ୍ୟପ୍ରମାଣ ଉପସ୍ଥାପନ କରିଥିଲେ। ମୁଖପାତ୍ର ଅଭିଷେକ୍ ମହାନନ୍ଦ କହିଥିଲେ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବରୁ ଜାଲ ଜାତି ପ୍ରମାଣପତ୍ର ଦେଇ ପାଠ ପଢିବା ସହ ସରକାରୀ ଚାକିରି କରିବା ଆଦି ଅନ୍ୟାନ୍ୟ ସରକାରୀ ସୁବିଧା ହାସଲ କରିଥିଲେ। ମନ୍ତ୍ରୀଙ୍କ ଏହି ଜାଲିଆତିକୁ ନେଇ ଅନେକ ଦିନ ତଳୁ ପାଟଣାଗଡ଼ର ଡିଙ୍ଗର କୁମ୍ଭାର ନାମକ ଜଣେ ଆଇନଜୀବି ତଥା ସମାଜସେବୀ କୋର୍ଟଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀଙ୍କ ଏହି କାରସାଦି ଧରା ପଡିବା ପରେ ସାରା ରାଜ୍ୟରେ ଆନ୍ଦୋଳନ କରାଯାଇଥିଲା ଓ ନିଜେ କଂଗ୍ରେସ ନେତା ଅଭିଷେକ ମହାନନ୍ଦ କିଛି ଦିନ ତଳେ ପ୍ରେସ କନଫରେନସ କରି ମନ୍ତ୍ରୀଙ୍କ ଜାଲିଆତିର ପର୍ଦ୍ଦାଫାଶ କରିଥିଲେ ବୋଲି ନିଜେ ଅଭିଷେକ କହିଛନ୍ତି। ଶ୍ରୀ ମହାନନ୍ଦ କହିଛନ୍ତି, ବାରମ୍ବାର ଅଭିଯୋଗ ହେଲେ ସୁଦ୍ଧା ଭାଜପା ସରକାର ,ମନ୍ତ୍ରୀଙ୍କ ଜାଲିଆତି ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୁର୍ନବାର ସମାଜସେବୀ ଡିଙ୍ଗର କୁମ୍ଭାର ପଦମପୁର ଥାନାରେ ମନ୍ତ୍ରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଥାନା ଆଇଆଇସି କେଶ୍ ଟିକୁ ରୁଜୁ କରିନଥିଲେ। ପରେ ଏନେଇ ଏକ ମାମଲା ହାଇକୋର୍ଟରେ ଅଭିଯୋଗ କାରି ଆବେଦନ କରିବା ପରେ ହାଇକୋର୍ଟ ପଦମପୁର ଏସଡିଜେଏମ୍ କୋର୍ଟକୁ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପଦମପୁର ଏସଡିଜେଏମ୍ କୋର୍ଟ ମନ୍ତ୍ରୀଙ୍କ ବିରୁଦ୍ଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପାଇଲା ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍। କୋର୍ଟଙ୍କ ଆଦେଶ ଅନୁଯାୟୀ ମନ୍ତ୍ରୀଙ୍କ ବିରୁଦ୍ଧରେ ତୁରନ୍ତ ଏଫଆଇଆର ରୁଜୁ କରିବା ସହିତ ନ୍ୟାୟାଳୟଙ୍କ ନିରୀକ୍ଷଣରେ ନିରପେକ୍ଷ ତଦନ୍ତ ହେବା ସହିତ ତଦନ୍ତକୁ ପ୍ରଭାବମୁକ୍ତ କରିବା ପାଇଁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଆଜି କଂଗ୍ରେସ ମୁଖପାତ୍ର ଦାବୀ କରିଛନ୍ତି ।
ବରିଷ୍ଠ ଆଇନଜୀବି ତଥା ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି ଗୋଟିଏ ପଟେ କେନ୍ଦ୍ର ବିଜେପି ସରକାର ଅପରାଧିକ ମାମଲାରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆଦି ପଦବୀ ହରାଇବେ ବୋଲି ଲୋକସଭାରେ ବିଲ ଆଗତ କରିଥିବାବେଳେ ଅନ୍ୟ ପଟେ ଓଡ଼ିଶାରେ ତାଙ୍କ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାମରେ ଜାତି ପ୍ରମାଣପତ୍ର ଜାଲିଆତି ମାମଲା ପ୍ରମାଣ ସହିତ ଜଣା ପଡିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।
ଆଇନଜୀବୀ ତଥା ଅନ୍ୟତମ ମୁଖପାତ୍ର ନିଶିକାନ୍ତ ମିଶ୍ର ଏହି ମାମଲାର ଆଇନଗତ ଦିଗ ତର୍ଜମା କରି କହିଛନ୍ତି ଯେ ସରକାର କେବଳ ନିରୀହ ଜନତାଙ୍କ ଉପରେ ଆଇନ କାନୁନ ଭୟ ଦେଖାଇ ମୁହଁ ବନ୍ଦ କରିବା ଜାଣିଛି କିନ୍ତୁ କ୍ଷମତାରେ ଥିବା ଲୋକଙ୍କ ଉପରେ ଆଇନ କାମ କରୁନି । ଏଭଳି ହେଲେ ସମାଜରେ ଅରାଜକତା ନିଶ୍ଚୟ ବ୍ୟାପିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତଦନ୍ତରେ ସ୍ୱଚ୍ଛତା ଆସିବା ପାଇଁ ନୈତିକତା ଦୃଷିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା