ଭୁବନେଶ୍ୱର,୨୬ ଅଗଷ୍ଟ (ହି.ସ.)- ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର କମ୍ପ୍ୟୁଟରୀକରଣ ଏବଂ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟ (ଆରସିଏସ) ଓଡ଼ିଶାର କମ୍ପ୍ୟୁଟରୀକରଣ ଉପରେ ଏକ ଦିନିକିଆ କର୍ମଶାଳା ଓ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଆଜି ସ୍ଥାନୀୟ ହୋଟଲରେ ଆୟୋଜିତ ହୋଇ ଯାଇଛି। ଏହି କର୍ମଶାଳାକୁ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଉଦଘାଟନ କରିଥିଲେ ।
ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ସାଜିଛି ପ୍ରାଥମିକ କୃଷି ସମବାୟ ସମିତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ବିକଶିତ ଭାରତ'ର ସଂକଳ୍ପକୁ ଆହୁରି ସଶକ୍ତ, କେନ୍ଦ୍ର ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ 'ସମବାୟ ସମୃଦ୍ଧି'ର ନାରା ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ 'ବିକଶିତ ଓଡ଼ିଶା'ର ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପ୍ରାଥମିକ କୃଷି ସମବାୟ ସମିତିର କମ୍ପ୍ୟୁଟରୀକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଛି ।
ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ପ୍ୟାକ୍ସର କମ୍ପ୍ୟୁଟରୀକରଣ ହେବା ଦ୍ୱାରା ସମବାୟ ସରଞ୍ଚନା ସୁଦୁଢ଼ ହେବାରେ ଲାଗିଛି । ଡିଜିଟାଲ ପରିବର୍ତ୍ତନ ସମବାୟ କ୍ଷେତ୍ରର କାର୍ଯ୍ୟପ୍ରଣାଳୀକୁ ଅଧିକ ପାରଦର୍ଶୀ, ପ୍ରଭାବୀ ଓ ସୁଗମ କରିଛି ଯାହା ଦ୍ୱାରା କୃଷକ ଓ ଗ୍ରାମାଞ୍ଚଳର ଅଧିବାସୀଙ୍କୁ ଋଣ ଏବଂ ସରକାରୀ ସହଯୋଗ ମିଳି ପାରୁଛି । କିଛି ପ୍ୟାକ୍ସ ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟରୀକୃତ ହୋଇନାହାନ୍ତି ଏବଂ ଏବେ ବି ହସ୍ତଚାଳିତ ପଦ୍ଧତିରେ କାର୍ଯ୍ୟ କରୁଛନ୍ତି, ଫଳରେ ଏସବୁର ପରିଚାଳନାରେ ଅକ୍ଷମତା ଏବଂ ଭରସାର ଅଭାବ ଦେଖା ଦେଇଛି। ସାରା ଦେଶରେ ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପାଳନ କରିବା ସହିତ ରାଜ୍ୟର ସମସ୍ତ ପ୍ୟାକ୍ସକୁ ଜାତୀୟ ସ୍ତରୀୟ ଫ୍ୟାକ୍ସ କମ୍ପ୍ୟୁଟରୀକରଣ ସଫ୍ଟୱେର୍ ପ୍ଲାଟଫର୍ମକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ନେଇଛନ୍ତି। ଯାହା ଦ୍ୱାରା ପ୍ୟାକ୍ସଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଏକ ଜାତୀୟ ସ୍ତରର ପ୍ଲାଟଫର୍ମରେ ସାମିଲ ହୋଇପାରିବ ବୋଲି ଶ୍ରୀ ପାଟିଲ କହିଛନ୍ତି ।
ଏଥି ସହିତ କର୍ମଶାଳାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ଶ୍ରୀ ପାଟିଲ କହିଛନ୍ତି ଯେ, ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ, ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ଯେପରି ମିଳିବ ସେଥିପ୍ରତି ସମସ୍ତେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ପ୍ୟାକ୍ସ କମ୍ପ୍ୟୁଟରୀକରଣ ପଦକ୍ଷେପ ସମବାୟ କ୍ଷେତ୍ରରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବ, ବିଶ୍ୱସନୀୟତାକୁ ବଢ଼ାଇବ ଏବଂ ପ୍ୟାକ୍ସଗୁଡ଼ିକୁ ପଞ୍ଚାୟତ ସ୍ତରରେ ନୋଡାଲ ସେବା ବିତରଣ କେନ୍ଦ୍ର ହେବାରେ ସହାୟକ ହେବ। ତୃଣମୂଳସ୍ତରରୁ ବିଭାଗସ୍ତରୀୟ ଅଧିକାରୀମାନେ ନିଜ ନିଜ ଭିତରେ ସମନ୍ୱୟ ରଖି କିଭଳି ସମବାୟ କ୍ଷେତ୍ର ବିକଶିତ ଓଡ଼ିଶାର ମେରୁଦଣ୍ଡ ସାଜିବ ସେ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ଶ୍ରୀ ପାଟିଲ ପରାମର୍ଶ ଦେଇଥିଲେ ।
ଆୟୋଜିତ କର୍ମଶାଳାରେ ସଫ୍ଟୱେର ଭେଣ୍ଡରର ସଦସ୍ୟମାନେ ଉପସ୍ଥିତ ରହି ପ୍ୟାକ୍ସ କମ୍ପ୍ୟୁଟରୀକରଣ ଉପରେ, ଉପସ୍ଥିତ ଥିବା ଅଧିକାରୀଙ୍କୁ ସୂଚନା ପ୍ରଦାନ କରିଥିଲେ। କମ୍ପ୍ୟୁଟରୀକରଣ ପ୍ରକ୍ରିୟାରେ ଉପୁଜୁଥିବା ସମସ୍ୟାର ସମାଧାନ କିଭଳି କରିହେବ ସେ ନେଇ ମତ ରଖିଥିଲେ। ଅପରାହ୍ନ ସମୟରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଚାଷୀ ପଞ୍ଜିକରଣ, ସୁଲଭ ଦରରେ ସାର ପ୍ରଦାନ, କୃଷି ସମବାୟ ସମିତିର ବ୍ୟବସାୟିକ ବିବିଧିକରଣ, ଚାଷୀଙ୍କୁ ସହଜ ସେବା ପ୍ରଦାନ ଓ ଓଡ଼ିଶାର ସମବାୟ ନେଟୱର୍କକୁ ଅଧିକ ସୁଦୃଢ଼ କରିବା ଆଦି ବିଭାଗୀୟ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା