ଜୟପୁର,, 27 ଅଗଷ୍ଟ (ହି.ସ.) ବର୍ଷା ପଣିରେ ବେହାଲ ହେଉଛି ଜୟପୁର ସହର । ବର୍ଷା ଯୋଗୁଁ ଜୟପୁର ସହରର ବିଭିନ୍ନ କଲୋନିରେ ଜଳ ଲୋକଙ୍କ ଘର ବୁଡାଇ ରଖିଥିବା ବେଳେ ଅନେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ପାଣି ଜମିଛି। ଜୟପୁର ର ଫିସରି ଅଫିସ, ଏମଆଇ ଅଫିସ, ଆକାଶବାଣି କେନ୍ଦ୍ର, ବିଇଓ ଅଫିସ ଭଳି ଅନେକ କାର୍ଯ୍ୟାଳୟରେ ବର୍ଷା ପାଣି ପଶିଥିବା ସୂଚନା ମିଳିଛି। ଗତକାଲି ରାତି ଗୋଟାଏ ଠାରୁ ରାତ୍ର ୩ଟା ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ରାତ୍ର ୩ଟାରୁ ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ବାଦଲଫଟା ବର୍ଷାରେ ଜୟପୁର ସହର ପାଣିରେ ବେହାଲ ହୋଇଯାଇଥିଲା। ସହରର ମୁଖ୍ୟରାସ୍ତା ଏମ ଜି ରୋଡ, ଏନକେଟି ରୋଡ ରେ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିଲା। ସହରର ନାଳ ଗୁଡିକ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବା ଯୋଗୁଁ ନାଳର ପାଣି ଗୁଡିକ ରାସ୍ତା ଉପରକୁ ଚାଲି ଆସିଥିଲା। କୁମ୍ଭାରାସାହି, ଦୈନିକ ବଜାର ଅଞ୍ଚଳରେ ଚାଲିବା କଷ୍ଟକର ହୋଇପଡିଥିଲା। ଆଜି ଗଣେଶ ପୂଜା ଥିବା ଯୋଗୁଁ ଲୋକେ ପୂଜା ପାଇଁ ପ୍ରସ୍ତୁତ ଥିବାବେଳେ ଗତକାଲି ରାତିରେ ବର୍ଷା ସମସ୍ତଙ୍କୁ ନାକେଦମ କରିଦେଇଥିଲା। ସ୍ଥାନୀୟ ତଳିଅଞ୍ଚଳ ଅଡିଟ କଲୋନୀ,କିଆବନ୍ଧ ସାହି, ବିଜୁରାଜ ନଗର ଓ ହାଟପଦା ଅଞ୍ଚଳ ଓ ସନ୍ତୋଷୀମା ନଗରରେ ଘର ଭିତରେ ପାଣି ପଶିଯାଇଥିବା ଯୋଗୁଁ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଜି ସକାଳୁ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ବିଜୁରାଜନଗର ଅଞ୍ଚଳ ବୁଲି ଦେଖିବା ସହ ସେଠାକାର ଲୋକମାନଙ୍କୁ ପାଉରୁଟି ବଣ୍ଟନ କରିଥିଲେ। ସେହିପରି ଅପରାହ୍ନରେ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଏ.ସସ୍ୟାରେଡ୍ଡୀ ସମସ୍ତ ଜଳମଗ୍ନ ଅଞ୍ଚଳ ବୁଲି ଦେଖି ସେଠାକାର ସମସ୍ୟା ପଚାରିବୁଝିବା ସହ ଡ୍ରେନ ନଥିବା ଅଞ୍ଚଳରେ ପୌର କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି କିଛି ପାଚେରି ଭାଙ୍ଗୀ ଜଳ ନିସ୍କାସନ କରିଥିଲେ। ସେହିପରି ପୌରଉପାଧ୍ୟକ୍ଷ ବି. ସୁନିତା ବେଲରୋଡ, ପ୍ରସାଦରାଓ ପେଟା, ସମ୍ବାରତୋଟା ଅଞ୍ଚଳ ଗୁଡିକ ବୁଲି ଦେଖିବା ସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପାରାବେଡା ଅଞ୍ଚଳର ଶ୍ରୀରାମନଗର ଅଞ୍ଚଳ ମଧ୍ୟ ପାଣି ବୁଡି ରହିଥିଲା। ଜୟପୁର ପାରାବେଡାରୁ ଗଡପଦର ଯିବା ସମୟରେ ଦୁବୁଲି ବ୍ରିଜ ଉପରେ ଦୁଇଫୁଟ ପାଣି ପ୍ରବାହିତ ହେଉଥିବା ଯୋଗୁଁ ୩ଘଣ୍ଟା ଧରି ଜୟପୁର ରୁ ଦୁବୁଲି ଗଡପଦର ଯିବା ଆସିବା ସ˚ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଜଣାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି