ଭୁବନେଶ୍ୱର, ୨୮ ଅଗଷ୍ଟ(ହି.ସ)- ପୋଲିସର ନିଦ ହଜାଇଥିବା କୁଖ୍ୟାତ ଚୋର ମନୋଜ କୁମାର ସିଂ କୁ ଗିରଫ କରିଛି କମିଶନରେଟ ପୋଲିସ । ପୋଲିସ ତା ନିକଟରୁ ୨୦୦ ଗ୍ରାମ ସୁନା ଓ ଏକ ଲକ୍ଷ ନଗଦ ଟଙ୍କା, ସ୍କୁଟି ଓ ଚୋରିରେ ବ୍ୟବହୃତ ଏକ ଆଇରନ ରଡ଼ ଜବତ କରିଛି। ମନୋଜର ଘର ଖଜୁରୀପଦା ବୈଦେଶ୍ୱର ଅଂଚଳରେ। ସୂଚନା ଅନୁଯାୟୀ ଗତ ୧୪ ତାରିଖ ଦିନ ଭରତପୁର ଥାନା ଅଂଚଳରେ ଥିବା ଖଣ୍ଡଗିରି ବାରି ଅଂଚଳରୁ ମନୋଜ ଶୁଭଶ୍ରୀ ନାୟକଙ୍କ ଘର କବାଟ ତାଡି ଲୁଟ କରିଥିଲେ। ଏନେଇ ଶୁଭଶ୍ରୀ ଭରତପୁର ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏଥିରୁ ପୋଲିସ ଜାଣିବାକୁ ପାଇଥିଲା ଯେ ମନୋଜ ଅତି ଚତୁରତାର ସହ ନିଜ ସ୍କୁଟି ନମ୍ବର ପ୍ଲେଟକୁ ଲୁଚେଇ ଘଟଣାସ୍ଥଳକୁ ଆସି ଘରର କବାଟ ତାଡି ଲୁଟ କରି ଫେରାର ହୋଇଯାଇଥିଲା । ଏବଂ ଲୁଟ ସୁନା ଗହଣାକୁ ଏକ ସୁନା ଋଣ ସଂସ୍ଥାରେ ଲୋନ ପକାଇଥିଲା। ଏହି ଘଟଣା ଜଣା ପଡିବା ପରେ ପୋଲିସ ସୁନାକୁ ଜବତ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା