ସମ୍ବଲପୁର, ୨୮ ଅଗଷ୍ଟ(ହି.ସ.) – ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ, ମାଁ ପାଟଣେଶ୍ୱରୀ, ସୁରେଶ୍ୱରୀ, ମାହେଶ୍ୱରୀ, ରାମଚଣ୍ଡୀ, ଶିଖରବାସିନୀ, ଭୈରବୀଙ୍କ ସମେତ ଅଂଚଳର ଇଷ୍ଟ ଦେବୀଦେବତାଙ୍କ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ସହ ଆଜି ପଶ୍ଚିମ ଓଡ଼ିଶାବାସୀ ନୂଆଁଖାଇ ପାଳନ କରିଛନ୍ତି। ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଅର୍ପଣ ଲାଗି ଭୋର୍ରୁ ଉପକ୍ରମ ଆରମ୍ଭ ହୋଇଯାଇଥିଲା। ଭୋର ସାଢ଼େ ୪ଟାରେ ପୂଜକମାନେ ମନ୍ଦିରରେ ପହଂଚିଥିଲେ। ପ୍ରାତଃ ପୂଜା ନୀତି ପରେ ଗମ୍ଭୀରା ଓ ପାଶ୍ୱର୍ ଦେବାଦେବୀଙ୍କ ନବାନ୍ନ ବିଧି ଆରମ୍ଭ ହୋଇଥିଲା। ଏଥି ସହିତ ମନ୍ଦିର ପରିସରରେ ବିଭିନ୍ନ ସ୍ଥାନରେ ପୂର୍ବାହ୍ନ ୯ଟାରେ ପୂଜକମାନେ ବନା ବା ଝୋଟି ଆଙ୍କିଥିଲେ। ଆଜି ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥି ପୂର୍ବାହ୍ଣ ୧୦.୩୩ ରୁ ୧୦.୫୫ଟା ସମୟରେ ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସହିତ ପୂଜକ ଗଙ୍ଗାଧର ରାୟ , କୋଦଣ୍ଡ ରାୟ , ସୁଧାଂଶୁ ରାୟ ଓ ପ୍ରଶାନ୍ତ ରାୟଙ୍କ ଘରୁ ତଥା ଝାଡ଼ୁଆପଡ଼ାର ବେହେରା ପରିବାରରୁ ଦେବୀଙ୍କ ନବାନ୍ନ ଭୋଗ ଆସିଥିଲା। ଏହା ପରେ ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସହିତ ପ୍ରାୟ ୧୫ ଜଣ ପୂଜକ ଗମ୍ଭୀରା ଭିତରକୁ ଯାଇ ନବାନ୍ନ ଅର୍ପଣର ପ୍ରାକ୍ ପ୍ରସ୍ତୁତି କରିଥିଲେ। ନିର୍ଦ୍ଧାରିତ ଲଗ୍ନରେ ଦେବୀଙ୍କୁ ନୂଆ ଚାଉଳ, କ୍ଷିରୀ, ପିଠା, ସାରୁ ସାଗ ଆଦି ଭୋଗ ଲାଗି କରାଯାଇଥିଲା। ନୂଆଁଭୋଗ ଲାଗିଲା ବୋଲି ଶୁଭଶଙ୍ଖ ବାଦନ ଗମ୍ଭୀରା ଭିତରୁ ପୂଜକମାନେ ବାହାରି ୧୧୫ ପାଶ୍ୱର୍ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରିଥିଲେ। ଏହା ଶ୍ରୀ ଗଣେଶଙ୍କଠାରୁ ଆରମ୍ଭ ହୋଇ ମାଉଲୀ ଦେବୀଙ୍କଠାରେ ଶେଷ ହୋଇଥିଲା। ପରେ ପୂଜକମାନେ ବଡ଼ବଜାର ଘିକୁଣ୍ଡି ମନ୍ଦିର ଓ ସୁନାରିପଡ଼ାର ହନୁମାନ ମନ୍ଦିରରେ ମଧ୍ୟ ନବାନ୍ନ ଲାଗି କରିଥିଲେ। ସମସ୍ତ ପାଶ୍ୱର୍ଦେବଦେବୀଙ୍କ ନବାନ୍ନ ଲାଗି ପରେ ମା’ଙ୍କ ମହାଆଳତୀ କରାଯାଇଥିଲା। ଏଥର ମଧ୍ୟ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗମ୍ଭୀରା ପୂଜା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଫେସବୁକ୍ରେ ଲାଇଭ୍ ପ୍ରସାରଣ କରାଯାଇଥିଲା। ପ୍ରତିବର୍ଷ ସହସ୍ରାଧିକ ଭକ୍ତ ନୂଆଁ ଖାଇବା ପରେ ମାଁଙ୍କ ଦର୍ଶନ କରିଥିଲେ। ମଧ୍ୟାହ୍ନରେ ସାଧାରଣ ଭକ୍ତଙ୍କ ପାଇଁ ଦେବୀଙ୍କ ଦର୍ଶନ ସକାଶେ ଉନ୍ମୁକ୍ତ କରାଯାଇଥିଲା। ସେହିଭଳି ସହରର ବିିଭିନ୍ନ ମନ୍ଦିର ଓ ଗ୍ରାମଦେବୀ ପୀଠ ସହିତ ଘରମାନଙ୍କରେ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା। ଏଥର ଗାଁଠୁ ସହର ସର୍ବତ୍ର ନୂଆଁଖାଇର ଉତ୍ସୁକତା ଦେଖିବାକୁ ମିଳିଛି। ମହିଳାମାନେ ପୂର୍ବରୁ ଝାଙ୍କର(ଗ୍ରାମଦେବୀଙ୍କ ପୂଜକ) ଦେଇଥିବା ନୂଆଁଧାନରୁ ପ୍ରସ୍ତୁତ ଅନ୍ନରୁ ବିଭିନ୍ନ ପିଠାପଣା ଓ କ୍ଷୀରି ପ୍ରସ୍ତୁତ କରି ଆଜି ଦେବାଦେବୀଙ୍କ ଠାରେ ଅର୍ପଣ କରିଥିଲେ। ବଡ଼ି ଭୋର ସମୟରୁ ଚାଷୀ ପରିବାରର ମୁରବୀମାନେ କ୍ଷେତକୁ ଯାଇ କ୍ଷୀର ଅର୍ପଣ କରି କ୍ଷେତ ପୂଜା କରିଥିଲେ। ଏହା ପରେ ନିଜ ଅଂଚଳ ଦେବୀଦେବତାଙ୍କ ଲଗ୍ନ ଅନୁଯାୟୀ ଘରେ ପୂଜାର୍ଚ୍ଚନା ସହ ବରିଷ୍ଠତମ ସଭ୍ୟଙ୍କ ଠାରୁ ପରିବାରର ସମସ୍ତେ ନୂଆଁ ଗ୍ରହଣ କରି ଭଗବାନଙ୍କୁ ପ୍ରଣିପାତ ଜଣାଇଥିଲେ। ଏହା ବାଦ୍ ନୂୂଆଁଖାଇ ଜୁହାର ଭେଟ୍ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ସମସ୍ତେ ସାର୍ବଜନୀନ ଜୁହାର ଭେଟ୍ ପାଇଁ ଗାଁଖୁଲି ଓ ପଡ଼ା ରାସ୍ତାକୁ ବାହାରିଥିଲେ। ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ଥିବା ଲୋକେ ଆସି ନିଜ ନିଜ ପରିବାର ସହ ଯୋଗ ଦେଇଛନ୍ତି। ସନ୍ଧ୍ୟାରେ ସହର ଓ ବିିଭିନ୍ନ ଗାଁମାନଙ୍କରେ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ତପସ୍ୱିନୀ ହଲ ଠାରେ ଓଡ଼ିଶା ସାଂସ୍କୃତିକ ସମାଜ, ଦଧିବାମନ କଲ୍ୟାଣ ମଣ୍ଡପ ଠାରେ ନନ୍ଦପଡ଼ା ଚିତ୍ରୋତ୍ପଳା ଯୁବକ ସଂଘ, ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ସମଲେଶ୍ୱରୀ ଯୁବ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ