ସମ୍ବଲପୁର, ୨୮ ଅଗଷ୍ଟ (ହି.ସ.)- ଆଜି ପଶ୍ଚିମ ଓଡ଼ିଶାର ପାରମ୍ପରିକ ନୂଆଁଖାଇ ଗଣପର୍ବର ଶୁଭାରମ୍ଭ ହୋଇଛି । ମାଁ ସମଲେଶ୍ବରୀଙ୍କ ତିନି ପୂଜକଙ୍କ ଘରୁ ମାଁଙ୍କ ମନ୍ଦିର ଭିତରକୁ ଅମୁଣିଆ ନବାନ୍ନ ଆସିବା ପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ନବାନ୍ନ ଲାଗି ହୋଇଥିଲା । ଏହି ଅବସରରେ ନୂଆ ଚାଉଳ ସହିତ କ୍ଷୀରି, ପିଠା, ସାରୁ ଶାଗ ଲାଗି ହୋଇଛି। ଏହା ପରେ ଲୋକେ ନିଜ ନିଜ ଘରେ କୁଳ ଦେବାଦେବୀଙ୍କୁ ନୂଆଭୋଗ ଲାଗି କରି ନୂଆ ଖାଇବା ଆରମ୍ଭ କରିଛନ୍ତି। ନୂଆଁଖାଇ ଅବସରରେ ଭୋଗ ମଣ୍ଡପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ସେମାନଙ୍କ ସମର୍ଥକଙ୍କ ସହିତ ୨୯ ଜଣ ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧି ନବାନ୍ନ ଗ୍ରହଣ କରିଛନ୍ତି। ସେଥିପାଇଁ ବୁଧବାର ଓ ଗୁରୁବାର ଦୁଇଦିନ ମନ୍ଦିରର ଭୋଗମଣ୍ଡପକୁ ସାଧାରଣ ଭକ୍ତ ଏବଂ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଏହି ଅବସରରେ ଭୋଗ ପାଇଁ ଆଗ୍ରହୀ ସମସ୍ତ ଶ୍ରଦ୍ଧାଳୁଙ୍କୁ ଗୋଟିଏ ଲେଖାଏଁ ଦନାରେ କାନିକା ପ୍ରସାଦ ଦିଆଯିବ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗଣପର୍ବ ନୂଆଁଖାଇ ପାଇଁ ଆଜି ଉତ୍ସବ ମୁଖର ହୋଇଉଠିଛି ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ପୁରପଲ୍ଲୀ। ଗାଁରୁ ସହର, ସବୁଠି ନୁଆଖାଇର ଝଲକ ଦେଖିବାକୁ ମିଳିଛି । ଗୁରୁବାର ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ଏହାପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମା’ଙ୍କ ମନ୍ଦିର ଦ୍ବାର ଖୋଲି ଦିଆଯାଇଛି ବୋଲି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ