ଜୁଆଙ୍ଗ ଜନଜାତିଙ୍କ ପାଇଁ ଅଲୋଡ଼ା ସରକାରୀ ବାସଗୃହ
କେନ୍ଦୁଝର, ୨୯ ଅଗଷ୍ଟ (ହି.ସ.) - ସରକାରଙ୍କର ନାରା ଅଛି - ସବୁ ମୁଣ୍ଡ ଉପରେ ପକ୍କା ଛାତ। ସବ୍ କା ବିକାଶ। ପୁଣି ଶୁଣିବାକୁ ମିଳେ - ଡବଲ ଇଂଜିନ୍ ସରକାରରେ ବିକାଶ ନୂଆ ଶିଖର ଛୁଇଁବ। କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୁଣ୍ଢେଇ ଗ୍ରାମର ପଂଚୁ ଜୁଆଙ୍ଗ ର ଭଙ୍ଗା ଛପର ଘର ଏସବୁ ନାରା ଉପରେ ପ
ଜୁଆଙ୍ଗ ଜନଜାତିଙ୍କ ପାଇଁ ଅଲୋଡ଼ା ସରକାରୀ ବାସଗୃହ


କେନ୍ଦୁଝର, ୨୯ ଅଗଷ୍ଟ (ହି.ସ.) - ସରକାରଙ୍କର ନାରା ଅଛି - ସବୁ ମୁଣ୍ଡ ଉପରେ ପକ୍କା ଛାତ। ସବ୍ କା ବିକାଶ। ପୁଣି ଶୁଣିବାକୁ ମିଳେ - ଡବଲ ଇଂଜିନ୍ ସରକାରରେ ବିକାଶ ନୂଆ ଶିଖର ଛୁଇଁବ। କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୁଣ୍ଢେଇ ଗ୍ରାମର ପଂଚୁ ଜୁଆଙ୍ଗ ର ଭଙ୍ଗା ଛପର ଘର ଏସବୁ ନାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସବୁ ନାରା ପଂଚୁ ଜୁଆଙ୍ଗ କାନରେ ପଡ଼ିଛି କି ନାହିଁ ଜଣା ନାହିଁ, ତଥାପି ସମସ୍ତଙ୍କ ଭିତରେ ସେ ଜଣେ କି ନାହିଁ, ଏସବୁ ଯୋଜନା ପାଇଁ ସେ ବା ତା' ପରିବାର ଯୋଗ୍ୟ କି ନାହିଁ, ସେ ବି ପଂଚୁର ଏକ ପ୍ରଶ୍ନ । କେବଳ ପଂଚୁ ନୁହେଁ, ଗାଁର ଅନେକ ଆଦିବାସୀ ପରିବାରଙ୍କ ମନରେ ଏହି ପ୍ରଶ୍ନ।

ସ୍ତ୍ରୀ ଓ ତିନି ଝିଅଙ୍କୁ ନେଇ ପଂଚୁ ଜୁଆଙ୍ଗ ର ପରିବାର। ଆଦିମ ଜନଜାତି ଜୁଆଙ୍ଗ ବର୍ଗର ସେ। ଦିନ ମଜୁରୀ କରି ଘର ଚଳାନ୍ତି ଊଭୟ ସ୍ୱାମୀ ଓ ସ୍ତ୍ରୀ। ଗାଁ ପାଖରେ ନିତିଦିନ କାମ ନ ମିଳିବାରୁ, ପଂଚୁ ଏବେ କଟକରେ କାମ କରୁଛି। ସ୍ତ୍ରୀ କାଶିଦି ଘର ସମ୍ଭାଳୁଛି।

କୌଣସି ସରକାରୀ ଯୋଜନାରେ ତାକୁ ଘର ମିଳି ନାହିଁ। ଏବେ ରହୁଥିବା ଘର ଖଣ୍ଡିକର ଛପର ଭାଙ୍ଗି ଯାଇଛି। ଜରି ପାଲ ଘୋଡେଇ ତା'ରି ତଳେ ରହୁଛନ୍ତି ପୁରା ପରିବାର । ନିଜ ତାକତରେ ମରାମତି କରିପାରିଲା ନାହିଁ। ପଂଚାୟତ ଠୁ ଆରମ୍ଭ କରି କେତେ କାହାକୁ କହିଲା, ନେହୁରା ହେଲା। କେହି ଶୁଣିଲେ ନାହିଁ ତା' ଗୁହାରି। କର୍ମକୁ ଆଦରି ପଡିଛି ତା'ରି ଭିତରେ। ଏ ବର୍ଷ ମଇ ମାସରୁ ଆଜି ପର୍ଯ୍ୟନ୍ତ ହେଉଥିବା ଲଗାତାର ବର୍ଷାରେ କେମିତି ସେମାନେ ରହୁଥିବେ, ସେ କଥା ତାଙ୍କ ବ୍ୟତୀତ ଅନ୍ୟ କେହି କହିବ କେମିତି। ସେ ରହୁଥିବା ଘରର ଫୋଟୋ ବେଶ୍ କିଛି କହୁଛି।

ଏ ସମସ୍ୟା ପଂଚୁ ଜୁଆଙ୍ଗ ପାଖରେ ଅଟକି ଯାଇ ନାହିଁ। କୁଣ୍ଢେଇ ଜୁଆଙ୍ଗ ସାହିର ଅଧିକାଂଶ ଲୋକଙ୍କର ଏବେବି କଚା ଘର ରହିଛି। ନା ବିଜୁ କୁଡିଆ ଯୋଜନାରେ ମିଳିଛି , ନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏମାନେ ସାମିଲ ହୋଇଛନ୍ତି। କାହାର ଚାଳ ଭାଙ୍ଗି ଯାଇଛି ତ, ଆଉ କାହାର କାନ୍ଥ ଭାଙ୍ଗି ଯାଇଛି। ପୁଣି କାହାର କବାଟ ନାହିଁ। ନିକଟବର୍ତୀ ସାହି ଓ ଗାଁରେ ଘରେ ଘରେ ପକ୍କା ଘର ଯୋଜନା ପହଂଚିଥିବା ବେଳେ, ଏଠି ପୁଣି ଆଦିମ ଜନଜାତି ଜୁଆଙ୍ଗ ମାନଙ୍କ ପାଖରେ ନ ପହଂଚିବାର କାରଣ ଅସ୍ପଷ୍ଟ। ହୁଏତ ଏହା ହୋଇପାରେ - ଆଦିବାସୀ, ସରଳ, ନିରିହ, ନିରକ୍ଷର, ଅସଚେତନ ର ମଉକା ନେଇ କେହି ଏମାନଙ୍କ ହକ୍ କୁ ଛଡାଇ ନେଇଛି।

କେନ୍ଦୁଝର ସଦରମହକୁମା ଠାରୁ ମାତ୍ର ଅଠର କିଲୋମିଟର ଦୂରରେ ଏ କୁଣ୍ଢେଇ ଗାଁ। ସଦର ନିର୍ବାଚନମଣ୍ଡଳୀ ମଧ୍ୟରେ ଆସୁଛି ଏ ଇଲାକା। ଲୋକଙ୍କ କହିବା ଅନୁଯାୟୀ ନା ବ୍ଲକ୍ ଉନ୍ନୟନ ଅଧିକାରୀ, ନା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ, ନା ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼େ ଏଠି। କେବଳ ସେତିକି ନୁହେଁ, ବିଗତ ବର୍ଷ ମନ୍ତୀ ନିତ୍ୟାନନ୍ଦ ଗଣ୍ଡ ଆସି ମିଛ ପ୍ରତିଶୃତି ଦେଇ ଚାଲିଯାଇ ଥିବା କହୁଛନ୍ତି ଲୋକ। ନେତା ଆସନ୍ତି କେବଳ ନିର୍ବାଚନ ସମୟରେ ଭୋଟ ମାଗିବାକୁ। କେତେ କ'ଣ ସ୍ୱପ୍ନ ଦେଖାଇ ଦେଇ ଯାଆନ୍ତି।

ଶୁକ୍ରା ଜୁଆଙ୍ଗ କହିବା ଅନୁଯାୟୀ ସେମାନଙ୍କ ମଧ୍ୟରୁ ଅନେକ ଘର ପାଇଁ ବାରମ୍ବାର ଦରଖାସ୍ତ କରୁଛନ୍ତି। ପଂଚାୟତ ଅଧିକାରୀ କୁହନ୍ତି - ଘର ଆସିଛି, ଏବେ ପାଇବ। ଭରଷା କରି ଅପେକ୍ଷା କରନ୍ତି। ଏମିତି ବର୍ଷ ପରେ ବର୍ଷ ଗଡି ଯାଏ। ଯେଉଁ ଅବସ୍ଥା କୁ ସେହି ଅବସ୍ଥା। ଶୁଣିବାକୁ, ଦେଖିବାକୁ କେହି ନାହିଁ। ପାଖ ଗାଁର କିଛି ଶିକ୍ଷିତ ଯୁବକ ମାନଙ୍କ କହିବା ଅନୁସାରେ, କିଛି ଗୋଟେ ଘୋଟାଲା ନିଶ୍ଚିତ ହୋଇଛି ଏଠି। ଗ୍ରାମ ସଭା ସ୍ଥିର କରେ ହିତାଧିକାରୀଙ୍କ ତାଲିକା। ତାହା ପୁଣି ପରିବାରର ଅବସ୍ଥା ଆଧାରରେ। ତେବେ, ଏ ପଂଚୁ ଜୁଆଙ୍ଗ ପାଇଲା ନାହିଁ କେମିତି ସରକାରୀ ଘର ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବ୍ଲକ୍ ଅଫିସ୍ ବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ଅନୁସନ୍ଧାନ କଲେ ଏହା ସ୍ପଷ୍ଟ ହେବ, କୁଣ୍ଢେଇ ଗ୍ରାମର କେତେ ଓ କେଉଁ କେଉଁ ହିତାଧିକାରୀଙ୍କ ସପକ୍ଷରେ କେବେ ଓ କେତେ ପକ୍କା ଘର ମଞ୍ଜୁର ହୋଇଥିଲା । ଗ୍ରାମ ପଂଚାୟତ ଅଧିକାରୀଙ୍କ ହାତ ସଫେଇକୁ ଏଡାଇ ଦିଆଯାଇନପାରେ ବୋଲି ମଧ୍ୟ ସନ୍ଦେହ କରିଛନ୍ତି ଗ୍ରାମବାସୀ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande