ସମ୍ବଲପୁର, ୨୯ ଅଗଷ୍ଟ (ହି.ସ.)- ସମ୍ବଲପୁର ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଏବେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରୁଥିବା ବେଳେ ଜାତୀୟ କ୍ରିଡ଼ା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ଷ୍ଟାଡିୟମର ବ୍ୟାଡ଼ମୀଣ୍ଟନ ହଲ ପରିସରରେ ୯ବର୍ଷ, ୧୧ବର୍ଷ, ୧୩ ବର୍ଷ, ୧୫ବର୍ଷ ଓ ୧୯ ବର୍ଷରୁ କମ୍ ବର୍ଗର ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l
ସମ୍ବଲପୁରର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ଉଦଘାଟିତ ଏହି ପ୍ରତିଯୋଗିତାରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ଅମୃତଲାଲ ବେହେରା, ବ୍ୟାଡ଼ମୀଣ୍ଟନ ପ୍ରଶିକ୍ଷକ ସୁବ୍ରତ ପାଢ଼ୀ, ଓଡିଶା ବ୍ୟାଡ଼ମୀଣ୍ଟନ ସଂଘ ତଥା ସମ୍ବଲପୁର ବ୍ୟାଡ଼ମୀଣ୍ଟନ ସଂଘର ସମ୍ପାଦକ ଲିଲିନ କୁମାର, ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘର କାର୍ଯ୍ୟକାରୀ ସଭାପତି ବିକ୍ରମ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l
ବ୍ୟାଡ଼ମୀଣ୍ଟନ ଅଫିସିଆଲ ଟିକେଶ୍ୱର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅତିଥି ମାନେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିଛବିରେ ଶ୍ରଦ୍ଧା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ ତଥା ପ୍ରଦୀପ ପ୍ରଜ୍ବଳନ କରି ଜାତୀୟ କ୍ରୀଡା ଦିବସରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହି ଅବସରରେ ମୁଖ୍ୟଅତିଥି ତଥା ଜିଲ୍ଲାପାଳ ଶ୍ରୀ ବୋନ୍ଦର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତି ଚାରଣ କରିବା ସହ 'ଶିଶୁ ହିଁ ଭବିଷ୍ୟତ' ତେଣୁ ଶିଶୁ ଅବସ୍ଥାରୁ ହିଁ କ୍ରୀଡା କ୍ଷେତ୍ରକୁ ଆଗେଇ ଆସିବା ସହ ଉଚିତ୍ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ସମ୍ବଲପୁର ଜିଲ୍ଲାରେ କ୍ରୀଡା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ରହିଛି ଶ୍ରୀ ବୋନ୍ଦର ଏହି ଅବସରରେ ପ୍ରକାଶ କରିଥିଲେ l ଉପସ୍ଥିତ ଅନ୍ୟ ଅତିଥି ବୃନ୍ଦ, ବିଭିନ୍ନ ବର୍ଗରେ ଏତେ ସଂଖ୍ୟାରେ ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରାଇ ଥିବାରୁ, ସେମାନଙ୍କୁ ଅଭିନନନ୍ଦ ଜଣାଇବା ସହ ଅଭିଭାବକ ମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ l
ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ସାଙ୍ଗଠନିକ ସମ୍ପାଦକ ତଥା ଏହି ପ୍ରତିଯୋଗିତା ଦାୟିତ୍ୱରେ ଥିବା ଅଭିଷେକ ବିଶ୍ୱାସ ଓ ମ୍ୟାଚ୍ ରେଫରୀ ଲକ୍ଷପତି ନନ୍ଦ ପ୍ରମୁଖ ଏହି ପ୍ରତିଯୋଗିତାକୁ ସଂଚାଳନର ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି l
ଏହି ପ୍ରତିଯୋଗିତା ଅଗଷ୍ଟ ୨୯, ୩0 ଓ ୩୧ ତିନିଦିନ ଧରି ଚାଲିବାକୁ ଥିବାବେଳେ ଏହି ପ୍ରତିଯୋଗିତାର ବିଜେତା ମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ l ୩ ଦିନ ଧରି ଆୟୋଜିତ ଏହି ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଜିଲ୍ଲାର ୨୨୦ ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ, ପ୍ରତିଯୋଗିତାକୁ ରାଜ୍ୟ ବ୍ୟାଡ଼ମୀଣ୍ଟନ ସଂଘର ଅମ୍ପାୟାର ସୂର୍ଯ୍ୟ ପାଣିଗ୍ରାହୀ, ବବଲୁ ସାହୁ, ନୀଳାଞ୍ଚଳ ସେଠି, ଟିକେଶ୍ୱର ସାହୁ, ମଣି ବେଜି ଓ ହେମନନ୍ଦ ଥପା ପରିଚାଳନା ଦାୟିତ୍ବରେ ଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ