ଭୁବନେଶ୍ୱର, ୨୯ ଅଗଷ୍ଟ (ହି.ସ)- ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସହରରେ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଏବଂ ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ସଂପର୍କରେ ଆଜି ରାଜ୍ୟ ଆଇନ୍ , ପୂର୍ତ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ
ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ପୁଲିସ୍ ପ୍ରଶାସନ, ଅବକାରୀ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ନାର୍କୋଟିକ୍ କେଂଟ୍ରାଲ ବ୍ୟୁରୋ (ଏନସିବି)ର ଅଧିକାରୀମାନେ ଯୋଗଦେଇ ଏହି ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବେଆଇନ୍ ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ସେପ୍ଟେମ୍ବର ୧ ତାରିଖରୁ ସମ୍ପୃକ୍ତ ସବୁ ବିଭାଗମାନଙ୍କର ମିଳିତ ସମନ୍ୱୟରେ ଭୁବନେଶ୍ୱର ସହର ତଥା ରାଜ୍ୟର ସବୁ ଜିଲ୍ଲାମାନଙ୍କରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ନିଶା ଦ୍ରବ୍ୟ ଚୋରାଚାଲାଣ ଗ୍ରୁପ୍ ଗୁଡ଼ିକୁ ଧରିବା ଏବଂ ଏସବୁର ପ୍ରଚ୍ଛଦ ପଟରେ ଥିବା ଚାଲାଣକାରୀଙ୍କୁ ମଧ୍ୟ ବନ୍ଧାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ପେଶାଲ ଟାକ୍ସ ଫୋର୍ସ–ଅବକାରୀ-ଏନସିବି-ବିଏମସି ମିଳିତ ଭାବେ ଭୁବନେଶ୍ୱରକୁ ଏକ ନିଶାମୁକ୍ତ ସହର କରିବାକୁ କାର୍ଯ୍ୟ କରିବେ । ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ୍) ଦ୍ୱାରା “ଅପରେସର ପ୍ରହାର” ଆରମ୍ଭ କରାଯିବ । ପେଶାଦାର ଅପରାଧୀମାନଙ୍କୁ ବାନ୍ଧିବା ପାଇଁ ମାଦକ ଦ୍ରବ୍ୟ ଏବଂ ମାନସିକ ସ୍ନାୟବିକ କ୍ଷତିକାରକ ତଥା ବ୍ୟବହାରିକ କୁପ୍ରଭାବ ପକାଉଥିବା ପଦାର୍ଥର ଅବୈଧ ଚାଲାଣ ପ୍ରତିରୋଧ ଅଧିନିୟମ
( ପିଆଇଟି-ଏନଡିପିଏସ୍) ଧାରା ଏବଂ ସିଆରପିସି ୧୧୦ ( ବିଏନଏସଏସ-୧୨୯) ଧାରା ଲଗାଯିବ । ନିଶା ନିବାରଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଅନ୍ତତଃ ଗୋଟିଏ ଲେଖାଏଁ ମଡେଲ ନିଶା ନିବାରଣ କେନ୍ଦ୍ର ରାଜ୍ୟ
ସରକାର ସ୍ଥାପନ କରିବେ। ଶିକ୍ଷା ନଗରୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ଚଢାଉ ବ୍ୟାପକ କରାଯିବ। ମନ୍ତ୍ରୀ କହିଛନ୍ତି ଯେ, ଡ୍ରଗ୍ସ, ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ବିଭିନ୍ନ କ୍ରିମିନାଲ କାର୍ଯ୍ୟକଳାପ ବଢ଼ୁଛି । ସେଥିପାଇଁ ବ୍ୟାପକ ଚଢାଉର ଆବଶ୍ୟକତା ରହିଛି ।
ମନ୍ତ୍ରୀ ସମସ୍ତ ବିଭାଗ ମୁଖ୍ୟମାନଙ୍କୁ ପୂର୍ଣ୍ଣ ପ୍ରୟାସ ଦ୍ୱାରା ନିଶା ନିବାରଣ କରିବା ଏବଂ ନିଶା ବେପାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ରଣକୌଶଳ ଅବଲମ୍ବନ ତଥା ଟେକ୍ନୋଲେଜି ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ବିଭିନ୍ନ ପଥ ଦେଇ ମାଦକ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା ।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବେଆଇନ୍ ମାଦ୍ରକ ଦ୍ରବ୍ୟ ଚୋରାଚାଲାଣ ଓ ନିଶାଦ୍ରବ ବ୍ୟବହାର ବିଭିନ୍ନ ଅପରାଧର କାରଣ ହେଉଥିବା ଏବଂ ଏହା ସମାଜ ପ୍ରତି କ୍ଷତିର କାରଣ ହେଉଥିବାରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଆଇଜି- ସିଆଇଡି-ସିବି (ସ୍ୱତନ୍ତ୍ର ଟାକ୍ସ ଫୋର୍ସ) ଡଃ. ସାର୍ଥକ ଷଡ଼ଙ୍ଗୀ , ଅବକାରୀ କମିଶନର,ଓଡ଼ିଶା ଶ୍ରୀମତୀ ପି.ଅନ୍ୱେଷା ରେଡ୍ଡୀ, ଏନସିବିର ଆଂଚଳିକ ନିର୍ଦ୍ଦେଶକ,କୁଳଦୀପ ଶର୍ମା, ଭୁବନେଶ୍ୱର-କଟକ ଏସିପି ଶ୍ରୀ ନରସିଂହ ଭୋଳଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା