ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ଜାତୀୟ କ୍ରୀଡ଼ା
ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ
ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜାତୀୟ କ୍ରୀଡ଼ା ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଆମେ
ଏହି ଦିନରେ ମହାନ ହକି ଖେଳାଳି ମେଜର ଧ୍ୟାନଚନ୍ଦ ଜୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ
କରୁଛୁ ଓ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ। ଆମ ଦେଶ ପାଇଁ ଗର୍ବ ଆଣିବା ନିମନ୍ତେ ନିଜ ସମସ୍ତ
ଶକ୍ତି ଓ ପ୍ରୟାସ ଦେଇଥିବା ସମସ୍ତ କ୍ରୀଡ଼ାବିତମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛୁ ।କ୍ରୀଡ଼ା କେବଳ
ଶାରୀରିକ କସରତ କିମ୍ବା ମନୋରଞ୍ଜନମୂଳକ କାର୍ଯ୍ୟକଳାପ ନୁହେଁ। କ୍ରୀଡ଼ା ହେଉଛି ଜୀବନ ଜୀବିକାର
ଏକ ଅଂଶ ଓ ଏହା ଜୀବନର ଅତ୍ୟାବଶ୍ୟକ ଦକ୍ଷତା ବିକାଶ କରିବାରେ, ସ୍ୱାସ୍ଥ୍ୟ ଓ ମାନସିକ ସମୃଦ୍ଧି ପ୍ରଚାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।
ଏହିକାରଣରୁ, ଜାତୀୟ ଶିକ୍ଷା ନୀତି 2020 ରେ କ୍ରୀଡ଼ାକୁ ପାଠ୍ୟକ୍ରମର ଏକ ଅଂଗ ଭାବରେ ଅନିବାର୍ଯ୍ୟ
କରାଯାଇଛି।
ଆମେ ଦେଶରେ ଏକ ସଜାଗ
କ୍ରୀଡ଼ା ସଂସ୍କୃତି ଗଢ଼ି ତୋଳିବା, ତୃଣମୂଳ ସ୍ତରରୁ ପ୍ରତିଭା
ଖୋଜିବା ଓ ପୋଷଣ କରିବା ଓ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଶକ୍ତି ଭାବରେ ପରିଣତ କରିବା ପ୍ରତି ପ୍ରତିବଦ୍ଧ ଅଟୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା