ପୁରୀ, ୨୯ ଅଗଷ୍ଟ (ହି.ସ.)- କ୍ରିଡା ସୁସ୍ଥ ରହିବାକୁ ଏକ ଶ୍ରେଷ୍ଠ ପନ୍ଥା।ବିଭିନ୍ନ କ୍ରିଡା ଶୃଙ୍ଖଳା, ସୁସ୍ଥତା ଓ ନୀରୋଗର ମହୌଷଧି ସଦୃଶ୍ୟ। ସେଥିପାଇଁ ପ୍ରଧାନମନ୍ତ୍ରୀ ଖେଳକୁ ଗୁରୁତ୍ୱ ଦେଇ ସମଗ୍ର ଦେଶରେ ସାଂସଦ ଖେଳ ମହୋତ୍ସବ ଆୟୋଜନର ବ୍ୟବସ୍ଥା କରିଛନ୍ତି ବୋଲି ପୁରୀ ସାଂସଦ ଡା. ସମ୍ବିତ ପାତ୍ର ସୂଚନା ଦେଇଛନ୍ତି। ଆଜି ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଜାତୀୟ କ୍ରିଡା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡା. ପାତ୍ର ଉପସ୍ଥିତ ସମସ୍ତ କ୍ରିଡାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆମ ପାରମ୍ପରିକ କ୍ରିଡାକୁ ଆଗକୁ ନେବା ଓ ହଜି ଯାଉଥିବା କ୍ରିଡାର ପୁନରୁଦ୍ଧାର ପାଇଁ ଏହି ସାଂସଦ ଖେଳ ମହୋତ୍ସବ ଏକ ସୁନ୍ଦର ପଦକ୍ଷେପ। ସେପ୍ଟେମ୍ବର ୨୧ ତାରିଖ ଠାରୁ ଏହି ଖେଳ ପ୍ରତିଯୋଗିତା ମାଧ୍ୟମରେ ୮ ପ୍ରକାର ଖେଳକୁ ସାମିଲ କରାଯାଉଛି। ତେଣୁ କ୍ରିଡାବିତ ମାନେ ସାଂସଦ ଖେଳ ମହୋତ୍ସବ ପୋର୍ଟାଲକୁ ଯାଇ ନାମ ପଞ୍ଜିକରଣ ପାଇଁ ଡା. ପାତ୍ର ପରାମର୍ଶ ଦେଇଥିଲେ।
ଏହି ଅବସରରେ ସାଂସଦ ଖେଳ ମହୋତ୍ସବର ଲିଫଲେଟ କୁ ଡା. ପାତ୍ର ପ୍ରଦର୍ଶନ କରି କ୍ରିଡାପ୍ରେମୀଙ୍କୁ ଉତ୍ସାହିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ