ବାରିପଦା, ୦୬ ଅଗଷ୍ଟ(ହି.ସ.) – ଜେଏମଏମ ପ୍ରତିଷ୍ଠାତା ତଥା ପ୍ରାକ୍ତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଦିଶମ ଗୁରୁ ଶିବୁ ସୋରେନଙ୍କ ବିୟୋଗରେ ଶୋକସଭା ଆୟୋଜନ କରାଯାଇଛି। ବାରିପଦା ସହର ସଭାପତି ତରେନ ସେନାପତିଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ଦଳୀୟ କର୍ମୀ ସମେତ ସ୍ଥାନୀୟ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ଦିଶମ ଗୁରୁ ଶିବୁ ସୋରେନଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ସେ ଆଦିବାସୀ ସମାଜର ମସିହା ଅଟନ୍ତି। ସେ ମୟୁରଭଞ୍ଜ ଜିଲ୍ଲାକୁ ବହୁତ ଭଲ ପାଉଥିଲେ। ଝାରଖଣ୍ଡ ରାଜ୍ୟର ସୁଧଖୋର ମହାଜନଙ୍କ ପାଇଁ କାଳ ଥିଲେ। ମହାଜନୀ ବ୍ୟବସ୍ଥାକୁ ହଟେଇବା ପାଇଁ ଝାରଖଣ୍ଡ ଆଦିବାସୀମାନଙ୍କୁ ଏକତ୍ରିତ କରି ମହାଜନମାନଙ୍କ ବିରୋଧରେ ସ୍ୱରତୋଳନ କରିଥିଲେ। ଯାହାଫଳରେ କି ମହାଜନ ମାନେ ଗୁରୁଜୀଙ୍କୁ ଅନେକ ଥର ହତ୍ୟା ଉଦ୍ୟମ କରିଥିଲେ। ଗୁରୁଜୀଙ୍କ ବହୁ ଆନ୍ଦୋଳନ କରି ଏହାକୁ ବନ୍ଦ କରିବା ସହ ଆଦିବାସୀଙ୍କ ଉନ୍ନତି ପାଇଁ ଅନେକ ଆନ୍ଦୋଳନ କରିଥିଲେ। ଯାହାଫଳରେ ତାଙ୍କ ପ୍ରତି ବିଶ୍ୱାସ, ଆସ୍ଥା ବଢ଼ିବା ସହ ଗୁରୁଜୀ ବୋଲି ଆଖ୍ୟା ପାଇଥିଲେ। ଅଲଗା ଝାରଖଣ୍ଡ ରାଜ୍ୟ ଗଠନ କରି ସେ ୩ ଥର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଥିଲେ। ଗୁରୁଜୀଙ୍କ ଜନ୍ମ ୧୧ ଜାନୁଆରୀ ୧୯୪୪ରେ ବିହାରର ହଜାରିବାଗ ଜିଲ୍ଲା ତଥା ବର୍ତମାନର ରାମଗଡ଼ ଜିଲ୍ଲା ସ୍ଥିତ ନେମ୍ରା ଗ୍ରାମରେ ହୋଇଥିଲା। ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ ସଭାରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ସଭାରେ କେନ୍ଦ୍ରୀୟ କମିଟି ସଦସ୍ୟ ଦିବାକର ସୋରେନ, ରାଜ୍ୟ ପରିଷଦ ସଦସ୍ୟ ସନାତନ ମୁର୍ମୁ, ସୁଜିତ ବେହେରା, ଅଭିଷେକ ଦଣ୍ଡପାଟ, ଜଗନ୍ନାଥ ସୋରେନ ପ୍ରମୁଖଙ୍କ ସହିତ ଶତାଧିକ କର୍ମୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ