ଖୋର୍ଦ୍ଧା, ୭ ଅଗଷ୍ଟ (ହି.ସ.)- ବାଟମଙ୍ଗଳା ସ୍ଥିତ ଡିଆର୍ସିଏସ୍ କାର୍ଯ୍ୟାଳୟକୁ ନିଜ ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ଆସିଥିବା ବେଗୁନିଆ ଭାଜପା ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳିଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ବାଟମଙ୍ଗଳାସ୍ଥିତ ଡିଆର୍ସିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ୪ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପ୍ରକାଶଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କ ସାର୍ଟ କଲର ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣର ଦୃଶ୍ୟ ଆର୍ଡି ବଙ୍ଗଳା ସିସିଟିଭିରେ କଏଦ ହୋଇଛି। ଏପରିକି ପ୍ରକାଶଙ୍କ କିଛି ସମର୍ଥକ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଖବର ପାଇ ହେଡ୍କ୍ବାର୍ଟର ଡିଏସ୍ପି ଅନିଲ ମହାନ୍ତି, ଟାଉନ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।
ପ୍ରକାଶଙ୍କ ଅଭିଯୋଗ ଅନୁଯାୟୀ, ବେଗୁନିଆ ବ୍ଲକ ଗଡ଼ମାଣିତ୍ରୀ ଛତ୍ରପଡ଼ା ସୋସାଇଟିର ଚାଷୀ ସମସ୍ୟା ନେଇ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ସହ ସମବାୟ ସମୂହ ନିବନ୍ଧକ ଅଧିକାରୀଙ୍କ କାର୍ଯ୍ୟଳୟକୁ ଆସିଥିଲେ। ଚାଷୀମାନେ କାର୍ଯ୍ୟାଳୟ ଭିତରେ ଆଲୋଚନା କରୁଥିବା ବେଳେ ପ୍ରକାଶ କାର୍ଯ୍ୟାଳୟ ବାହାରକୁ ଆସିଥିଲେ। ତେବେ ସେହି ସମୟରେ ଆର୍ଡି ବଙ୍ଗଳା ମଧ୍ୟରୁ ହଠାତ୍ ୪ ଜଣ ଦୁର୍ବୃତ୍ତ ପହଞ୍ଚି କାର୍କୁ ଢେଲା, ପଥର ମାଡ଼ କରିଥିଲେ। ପ୍ରକାଶ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ସେଥିରୁ ଜଣେ ପ୍ରକାଶଙ୍କୁ ଫୋନ ଦେଇ କହିଲେ, ଭାଇ କଥା ହେବେ, ସେ କଥା ହେବା ପରେ ଜାଣିବାକୁ ପାଇଲେ ଯେ ସେ ଜଣେ ରାଜନେତା ବୋଲି ପ୍ରକାଶ କହିଛନ୍ତି।ତେଣୁ ଏହି ଆକ୍ରମଣ ପଛର ନାୟକ ଜଣେ ରାଜନେତାଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି। ଫୋନରେ କଥା ହେବା ବେଳେ ବ୍ୟକ୍ତି ଜଣକ ପ୍ରକାଶଙ୍କୁ କହିଥିଲେ, ତୁ ବେଶି ଉତୁରୁଛୁ, ଆଉ ବେଗୁନିଆ ଯିବୁନି, ଗଲେ ଜୀବନରେ ମାରିଦେବୁ, ପୂର୍ବରୁ ମୋର ବାଡିଆପିଟାରେ ରେକର୍ଡ ଅଛି ବୋଲି ଧମକ ଦେଇଥିଲେ। ଖୋର୍ଦ୍ଧା ଟାଉନ ଥାନା ପୋଲିସ ପ୍ରକାଶଙ୍କ କ୍ଷତିଗ୍ରସ୍ତ ଗାଡ଼ିକୁ ଥାନାକୁ ନେଇ ଯାଇଥିଲେ। ପରେ ପ୍ରକାଶ ଖୋର୍ଦ୍ଧା ଟାଉନ ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖା ହେଲା ବେଳକୁ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ