Bhubaneswar, 7 ଅଗଷ୍ଟ (ହି.ସ.)
ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଜାରି ରହିଛି ‘ଡ୍ରାଏ ଡେ’ ପାଳନ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ । ବିଏମ୍ ସି ପକ୍ଷରୁ ଆଜି 3ଟି ଜୋନର 67ଓ୍ୱାର୍ଡରେ ‘ଡ୍ରାଏ ଡେ’ ପାଳିତ ହୋଇଯାଇଛି । ବିଏମ୍ ସି ସ୍ୱାସ୍ଥ୍ୟକର୍ମୀମାନେ ଲୋକମାନଙ୍କୁ ସଚେତନ କରାଇବା ସହ ଘରେ, ଛାତ ଉପରେ କିମ୍ବା ଆଖପାଖରେ ଜମି ରହୁଥିବା ପାଣି ନିଷ୍କାସନ କରିବା, ମଶା ବଂଶବୃଦ୍ଧି ଉତ୍ସଗୁଡିକୁ ଧ୍ୱଂସ କରିବା ଏବଂ ମଶାରୀ ଟାଣି ଶୋଇବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ମଶା ତେଲ ସିଚନ, ଘାସ କାଟିବା ଆଦି ଆଣ୍ଟି ଲାର୍ଭା କାର୍ଯ୍ୟ ମଧ୍ୟ କରାଯାଇଛି ।
ଘାସ କାଟିବା, ମଶା ତେଲ ସିଚନ କରିବା ଆଦି କାର୍ଯ୍ୟରେ 150 ଜଣ କର୍ମଚାରୀଙ୍କ ସହ 70 ଜଣ ଆଉଟ ସୋର୍ସିଂ କର୍ମୀଙ୍କୁ ସାମିଲ କରାଯାଇଛି । 30 ଜଣ ଡେଙ୍ଗୁ ସ୍ୱେଚ୍ଛାସେବୀ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି ।
ବିଏମ୍ ସି ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଡେଙ୍ଗୁ ସଚେତନତା ସୃଷ୍ଟି କରାଯାଉଛି । ଏହା ବ୍ୟତୀତ 30 ଜଣ ଡେଙ୍ଗୁ ସ୍ୱେଚ୍ଛାସେବୀ ଘରକୁ ଘର ବୁଲି ଲୋକମାନଙ୍କୁ ଡେଙ୍ଗୁରୋଗର ସମ୍ବେଦନଶୀଳତା ଏବଂ ମଶା ବଂଶ ବୃଦ୍ଧି ସଂପର୍କରେ ସଚେତନ କରାଉଛନ୍ତି । ଏଥିରେ ସମସ୍ତ କର୍ପୋରେଟର, ଆବାସିକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶାକର୍ମୀ, ଅଙ୍ଗନଓ୍ୱାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ମାର୍କେଟ ଆସୋସିଏସନ, ହୋଟେଲ, ରେଷ୍ଟୁରାଣ୍ଟ, ବସ୍ତି ବାସିନ୍ଦା ସଂଘ, ଭେଣ୍ଡିଂ ଜୋନ୍ ଆସୋସିଏସନ ସହାୟତା କରୁଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର, ବ୍ୟବସାୟୀକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଓ ଶିଳ୍ପାଞ୍ଚଳ, ଇଡକୋ ଆଦି ଅଂଚଳରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି । ନିୟମିତ ଭାବେ ମଶା ତେଲ ସିଚନ କରିବା, ମଶା ଅଣ୍ଡା ଦେଉଥିବା ସ୍ଥାନ ବା ଉତ୍ସଗୁଡିକୁ ନଷ୍ଟ ଆଦି କାର୍ଯ୍ୟ ଜାରି ରହିଛି । ଯେଉଁ ଅଂଚଳରୁ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି, ସେ ଅଂଚଳରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ଏବଂ ନିୟମିତ କାର୍ଯ୍ୟାନୁସରଣ କରାଯାଉଛି ।
ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମୋଟ 14 ହଜାର 528ଟି ରକ୍ତ ନମୂନା ପରୀକ୍ଷା କରାଯାଇଛି । ସେଥିରୁ 215ଟି ପଜେଟିଭ ଚିହ୍ନଟ ହୋଇଛି । ମୋଟ 34 ହଜାର 557ଟି ମଶା ଅଣ୍ଡା ଦେବା ସ୍ଥାନ ନଷ୍ଠ କରାଯାଇଛି । ସେହିପରି 1 ଲକ୍ଷ, 25 ହଜାର 218ଟି ଆଣ୍ଟି ଲାର୍ଭାସ୍ଥାନକୁ ଧ୍ୱଂସ କରାଯାଇଛି । ବିଭିନ୍ନ ସ୍ଥାନରେ ପଡିଥିବା 123 ଟ୍ରିପ୍ ଟାୟାର ସ୍ଥାନାନ୍ତର କରାଯାଇଛି । 1 ଲକ୍ଷ 53 ହାଜର 130 ଜଣଙ୍କ ଘର ବୁଲି ସେମାନଙ୍କୁ ସଚେତନ କରାଯାଇଛି । 154 ବିଦ୍ୟାଳୟ ଓ ମହାବିଦ୍ୟାଳର ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ସଂପର୍କରେ ସଚେତନ କରାଯାଇଛି ।
ବିଏମ୍ ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବା ଫଳରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ କମ୍ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ଅଗଷ୍ଟ 7 ତାରିଖ ସୁଦ୍ଧା 3 ଶହରୁ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ । ମାତ୍ର ଚଳିତ ବର୍ଷ 218 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା